21ତାହା ଖମୀର ପରି, ଜଣେ ସ୍ତ୍ରୀ ତାହା ଘେନି ମହଣେ ମଇଦା ମଧ୍ୟରେ ଘୋଡ଼ାଇ ରଖିଲା, ଆଉ ଶେଷରେ ସମସ୍ତ ଖମୀରମୟ ହେଲା।”
22ଏହାପରେ ସେ ନଗରେ ନଗରେ ଓ ଗ୍ରାମେ ଗ୍ରାମେ ଭ୍ରମଣ କରି ଶିକ୍ଷା ଦେଉ ଦେଉ ଯିରୂଶାଲମ ଆଡ଼କୁ ଯାତ୍ରା କରୁଥିଲେ।
23ଆଉ, ଜଣେ ତାହାଙ୍କୁ କହିଲେ, ପ୍ରଭୁ, ପରିତ୍ରାଣ ପାଇବା ଲୋକମାନଙ୍କ ସଂଖ୍ୟା କଅଣ ଅଳ୍ପ? ସେଥିରେ ସେ ସେମାନଙ୍କୁ କହିଲେ,
24“ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କରିବାକୁ ପ୍ରାଣପଣ କର, କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଅନେକ ପ୍ରବେଶ କରିବା ନିମନ୍ତେ ଚେଷ୍ଟା କରିବେ, କିନ୍ତୁ ପାରିବେ ନାହିଁ।
25ଘରର ମୁଖ୍ୟ ଲୋକ ଉଠି ଦ୍ୱାର ବନ୍ଦ କଲା ପରେ ଯେତେବେଳେ ତୁମ୍ଭେମାନେ ବାହାରେ ଠିଆ ହୋଇ ରହିବ ଓ ‘ହେ ପ୍ରଭୁ, ଆମ୍ଭମାନଙ୍କ ନିମନ୍ତେ ଦ୍ୱାର ଫିଟାନ୍ତୁ,’ ଏହା କହି ଦ୍ୱାରରେ ମାରିବାକୁ ଲାଗିବ, ସେତେବେଳେ ସେ ତୁମ୍ଭମାନଙ୍କୁ ଉତ୍ତର ଦେବେ, ‘ତୁମ୍ଭେମାନେ କେଉଁ ସ୍ଥାନର ଲୋକ, ତାହା ମୁଁ ଜାଣେ ନାହିଁ।’