8କାରଣ ମୁଁ ପରାଧୀନ ମନୁଷ୍ୟ ହେଲେ ମଧ୍ୟ ମୋହର ଅଧୀନରେ ସୈନ୍ୟମାନେ ଅଛନ୍ତି; ଆଉ, ମୁଁ ଜଣକୁ ଯାଅ କହିଲେ ସେ ଯାଏ; ଅନ୍ୟକୁ ଆସ କହିଲେ ସେ ଆସେ; ପୁଣି, ମୋହର ଦାସକୁ ଏହା କର କହିଲେ ସେ ତାହା କରେ।
9ଯୀଶୁ ଏସମସ୍ତ କଥା ଶୁଣି ତାହାଙ୍କ ବିଷୟରେ ଚକିତ ହେଲେ, ଆଉ ବୁଲିପଡ଼ି ତାହାଙ୍କ ପଛରେ ଆସୁଥିବା ଲୋକମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ କହୁଅଛି, ଇସ୍ରାଏଲ ମଧ୍ୟରେ ମଧ୍ୟ ମୁଁ ଏଡ଼େ ବଡ଼ ବିଶ୍ୱାସ ପାଇ ନାହିଁ।”
10ଆଉ ପଠାଯାଇଥିବା ଲୋକମାନେ ଘରକୁ ଫେରିଆସି ଦାସକୁ ସୁସ୍ଥ ଦେଖିଲେ।
11ଏଥିଉତ୍ତାରେ ସେ ନାଇନ ନାମକ ନଗରକୁ ଯାତ୍ରା କଲେ, ଆଉ ତାହାଙ୍କ ଶିଷ୍ୟମାନେ ଓ ବହୁସଂଖ୍ୟକ ଲୋକ ତାହାଙ୍କ ସାଙ୍ଗରେ ଯାଉଥିଲେ।
12ସେ ନଗର-ଦ୍ୱାର ନିକଟରେ ଉପସ୍ଥିତ ହୁଅନ୍ତେ, ଦେଖ, ଲୋକେ ଜଣେ ମୃତ ମନୁଷ୍ୟକୁ ବାହାରକୁ ବୋହି ଆଣୁଥିଲେ, ସେ ଆପଣା ମାତାର ଏକମାତ୍ର ପୁତ୍ର, ପୁଣି, ସେହି ସ୍ତ୍ରୀ ବିଧବା; ଆଉ ନଗରର ବହୁସଂଖ୍ୟକ ଲୋକ ତାହାଙ୍କ ସଙ୍ଗରେ ଥିଲେ।