10ପରେ ପ୍ରେରିତମାନେ ଫେରିଆସି, ଯାହା ଯାହା କରିଥିଲେ, ସେହିସବୁ ତାହାଙ୍କ ନିକଟରେ ବର୍ଣ୍ଣନା କଲେ। ଆଉ ସେ ସେମାନଙ୍କୁ ସାଙ୍ଗରେ ଘେନି ଅନ୍ତର ହୋଇ ବେଥ୍ସାଇଦା ନାମକ ନଗରକୁ ଚାଲିଗଲେ।
11କିନ୍ତୁ ଲୋକସମୂହ ତାହା ଜାଣି ତାହାଙ୍କର ପଛେ ପଛେ ଗଲେ; ପୁଣି, ସେ ସଦୟ ହୋଇ ସେମାନଙ୍କୁ ଗ୍ରହଣ କରି ଈଶ୍ବରଙ୍କ ରାଜ୍ୟ ବିଷୟ ସେମାନଙ୍କୁ କହିବାକୁ ଲାଗିଲେ, ଆଉ ଯେଉଁମାନଙ୍କର ସୁସ୍ଥ ହେବାର ଆବଶ୍ୟକ ଥିଲା, ସେମାନଙ୍କୁ ସୁସ୍ଥ କଲେ।
12ଇତିମଧ୍ୟରେ ସନ୍ଧ୍ୟା ହେବାକୁ ଲାଗିଲା; ସେଥିରେ ବାର ଜଣ ଶିଷ୍ୟ ତାହାଙ୍କ ନିକଟକୁ ଆସି କହିଲେ, ଲୋକସମୂହ ଯେପରି ଚାରିପାଖ ଗ୍ରାମ ଓ ପଲ୍ଳୀଗୁଡ଼ିକୁ ଯାଇ ବସା ଓ ଖାଦ୍ୟ ପାଇ ପାରନ୍ତି, ସେଥିନିମନ୍ତେ ସେମାନଙ୍କୁ ବିଦାୟ ଦିଅନ୍ତୁ, କାରଣ ଆମ୍ଭେମାନେ ଏଠାରେ ଜନଶୂନ୍ୟ ସ୍ଥାନରେ ଅଛୁ।
13କିନ୍ତୁ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସେମାନଙ୍କୁ ଭୋଜନ କରାଅ।” ସେମାନେ କହିଲେ, ଆମ୍ଭମାନଙ୍କ ପାଖରେ ପାଞ୍ଚୋଟି ରୁଟି ଓ ଦୁଇଟି ମାଛରୁ ଅଧିକ ନାହିଁ; ତାହାହେଲେ ଆମ୍ଭେମାନେ କଅଣ ଯାଇ ଏହି ସମସ୍ତ ଲୋକଙ୍କ ନିମନ୍ତେ ଖାଦ୍ୟ କିଣିବା?
14କାରଣ ସେମାନେ ପ୍ରାୟ ପାଞ୍ଚ ହଜାର ପୁରୁଷ ଥିଲେ। ଆଉ ସେ ଆପଣା ଶିଷ୍ୟମାନଙ୍କୁ କହିଲେ, “ପ୍ରାୟ ପଚାଶ ପଚାଶ ଜଣ କରି ସେମାନଙ୍କୁ ଦଳ ଦଳ କରି ବସାଅ।”