13ତୁମ୍ଭେମାନେ ମଧ୍ୟ ଏହି କର୍ମ କରୁଅଛ; ତୁମ୍ଭେମାନେ ଲୋତକରେ, ରୋଦନରେ ଓ ଆର୍ତ୍ତସ୍ୱରରେ ସଦାପ୍ରଭୁଙ୍କ ଯଜ୍ଞବେଦିକୁ ଏପରି ଆଚ୍ଛନ୍ନ କରୁଅଛ, କାରଣ ସେ ଆଉ ତୁମ୍ଭର ନୈବେଦ୍ୟ ପ୍ରତି ଦୃଷ୍ଟିପାତ କରନ୍ତି ନାହିଁ, କିଅବା ତୁଷ୍ଟ ହୋଇ ତୁମ୍ଭମାନଙ୍କ ହସ୍ତରୁ ତାହା ଗ୍ରହଣ କରନ୍ତି ନାହିଁ।
14ତଥାପି ତୁମ୍ଭେମାନେ କହୁଅଛ, “ଏଥିର କାରଣ କଅଣ?” ସଦାପ୍ରଭୁ ତୁମ୍ଭର ଓ ତୁମ୍ଭ ଯୌବନ କାଳର ଭାର୍ଯ୍ୟା ମଧ୍ୟରେ ସାକ୍ଷୀ ହୋଇଅଛନ୍ତି, ସେ ତୁମ୍ଭର ସଖୀ ଓ ତୁମ୍ଭ ନିୟମକୃତ ଭାର୍ଯ୍ୟା ହେଲେ ହେଁ ତୁମ୍ଭେ ତାହା ପ୍ରତି ବିଶ୍ୱାସଘାତକତା କରିଅଛ।
15ପୁଣି, ତାହାଙ୍କଠାରେ ଆତ୍ମାର ଅବଶିଷ୍ଟାଂଶ ଥିଲେ ହେଁ ସେ କି ଏକ ନ କଲେ? ଆଉ କାହିଁକି ଏକ କଲେ? ସେ ଈଶ୍ୱରୀୟ ଏକ ବଂଶ ଉତ୍ପନ୍ନ କରିବା ନିମନ୍ତେ ଚେଷ୍ଟା କଲେ। ଏଥିପାଇଁ ତୁମ୍ଭେମାନେ ଆପଣା ଆପଣା ଆତ୍ମା ବିଷୟରେ ସାବଧାନ ହୁଅ ଓ କେହି ଆପଣା ଆପଣା ଯୌବନ କାଳର ଭାର୍ଯ୍ୟା ପ୍ରତି ବିଶ୍ୱାସଘାତକତା ନ କରୁ।
16“କାରଣ ଆମ୍ଭେ ସ୍ତ୍ରୀ-ତ୍ୟାଗ ଘୃଣା କରୁ, ଏହା ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି ଓ ଯେ ଆପଣା ବସ୍ତ୍ରକୁ ଦୌରାତ୍ମ୍ୟରେ ଆଚ୍ଛାଦିତ କରେ, ତାହାକୁ ଆମ୍ଭେ ଘୃଣା କରୁ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି; ଏହେତୁ ତୁମ୍ଭେମାନେ ଯେପରି ବିଶ୍ୱାସଘାତକତା ନ କର, ଏଥିପାଇଁ ଆପଣା ଆପଣା ଆତ୍ମା ବିଷୟରେ ସାବଧାନ ହୁଅ।”
17ତୁମ୍ଭେମାନେ ଆପଣାମାନଙ୍କର ବାକ୍ୟ ଦ୍ୱାରା ସଦାପ୍ରଭୁଙ୍କୁ କ୍ଳାନ୍ତ କରିଅଛ। ତଥାପି ତୁମ୍ଭେମାନେ କହୁଅଛ, “ଆମ୍ଭେମାନେ କାହିଁରେ ତାହାଙ୍କୁ କ୍ଳାନ୍ତ କରିଅଛୁ? ପ୍ରତ୍ୟେକ ଲୋକ ଯେ କୁକର୍ମ କରେ, ସେ ସଦାପ୍ରଭୁଙ୍କ ଦୃଷ୍ଟିରେ ଉତ୍ତମ ଓ ସେମାନଙ୍କଠାରେ ସେ ସନ୍ତୁଷ୍ଟ ହୁଅନ୍ତି, ନୋହିଲେ ବିଚାରକର୍ତ୍ତା ପରମେଶ୍ୱର କାହାନ୍ତି?” ଏପରି କହି କ୍ଳାନ୍ତ କରୁଅଛ।