1ହଖଲୀୟର ପୁତ୍ର ନିହିମୀୟାଙ୍କର ବାକ୍ୟ। କୋଡ଼ିଏତମ ବର୍ଷର କିଶ୍ଲେବ୍ ମାସରେ ମୁଁ ଶୂଶନ୍ ରାଜଧାନୀରେ ଥିଲି।
2ତହିଁରେ ହନାନି ନାମରେ ମୋହର ଭ୍ରାତୃଗଣ ମଧ୍ୟରୁ ଏକ ଜଣ ଓ ଯିହୁଦାରୁ କେତେକ ଲୋକ ଆସିଲେ; ତହୁଁ ମୁଁ ସେମାନଙ୍କୁ ବନ୍ଦୀତ୍ୱରୁ ରକ୍ଷାପ୍ରାପ୍ତ ଅବଶିଷ୍ଟ ଯିହୁଦୀୟମାନଙ୍କ ବିଷୟରେ ଓ ଯିରୂଶାଲମ ବିଷୟରେ ପଚାରିଲି।
3ସେତେବେଳେ ସେମାନେ ମୋତେ କହିଲେ, “ବନ୍ଦୀତ୍ୱରୁ ରକ୍ଷାପ୍ରାପ୍ତ ସେହି ପ୍ରଦେଶର ଅବଶିଷ୍ଟ ଲୋକେ ମହାଦୁଃଖ ଓ ଅପମାନରେ ଅଛନ୍ତି; କାରଣ ଯିରୂଶାଲମର ପ୍ରାଚୀର ଭଗ୍ନ ହୋଇ ରହିଅଛି ଓ ତହିଁର ଦ୍ୱାରସବୁ ଅଗ୍ନିରେ ଦଗ୍ଧ ହୋଇଅଛି।”
4ତହୁଁ ମୁଁ ଏହି କଥା ଶୁଣିବାମାତ୍ରେ, ବସି ରୋଦନ କଲି ଓ କେତେକ ଦିନ ପର୍ଯ୍ୟନ୍ତ ବିଳାପ କଲି; ପୁଣି, ମୁଁ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ଛାମୁରେ ଉପବାସ ଓ ପ୍ରାର୍ଥନା କରି କହିଲି,
5“ହେ ସଦାପ୍ରଭୋ, ସ୍ୱର୍ଗସ୍ଥ ପରମେଶ୍ୱର, ମୁଁ ବିନୟ କରୁଅଛି, ତୁମ୍ଭେ ମହାନ ଓ ଭୟଙ୍କର ପରମେଶ୍ୱର ଅଟ, ଯେଉଁମାନେ ତୁମ୍ଭକୁ ପ୍ରେମ କରନ୍ତି ଓ ତୁମ୍ଭର ସବୁ ଆଜ୍ଞା ପାଳନ କରନ୍ତି, ସେମାନଙ୍କ ପକ୍ଷରେ ତୁମ୍ଭେ ନିୟମ ଓ ଦୟା ପାଳନ କରିଥାଅ;