5“ହେ ସଦାପ୍ରଭୋ, ସ୍ୱର୍ଗସ୍ଥ ପରମେଶ୍ୱର, ମୁଁ ବିନୟ କରୁଅଛି, ତୁମ୍ଭେ ମହାନ ଓ ଭୟଙ୍କର ପରମେଶ୍ୱର ଅଟ, ଯେଉଁମାନେ ତୁମ୍ଭକୁ ପ୍ରେମ କରନ୍ତି ଓ ତୁମ୍ଭର ସବୁ ଆଜ୍ଞା ପାଳନ କରନ୍ତି, ସେମାନଙ୍କ ପକ୍ଷରେ ତୁମ୍ଭେ ନିୟମ ଓ ଦୟା ପାଳନ କରିଥାଅ;
6ମୁଁ ତୁମ୍ଭ ବିରୁଦ୍ଧରେ ଆମ୍ଭମାନଙ୍କ କୃତ ଇସ୍ରାଏଲ-ସନ୍ତାନଗଣର ପାପ ସ୍ୱୀକାର କରି ତୁମ୍ଭ ଦାସ ଇସ୍ରାଏଲର ସନ୍ତାନଗଣ ପକ୍ଷରେ ଦିବାରାତ୍ର ଏହି ସମୟରେ ତୁମ୍ଭ ଛାମୁରେ ଯେଉଁ ପ୍ରାର୍ଥନା କରୁଅଛି, ଆପଣା ଦାସର ସେହି ପ୍ରାର୍ଥନା ଶୁଣିବା ପାଇଁ ଏବେ ତୁମ୍ଭର କର୍ଣ୍ଣ ନିବିଷ୍ଟ ଓ ତୁମ୍ଭର ଚକ୍ଷୁ ମୁକ୍ତ ହେଉ; ମୁଁ ଓ ମୋହର ପିତୃବଂଶ ହିଁ ପାପ କରିଅଛୁ।
7ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ଅତିଶୟ ଦୁଷ୍କର୍ମ କରିଅଛୁ ଓ ତୁମ୍ଭେ ଆପଣା ଦାସ ମୋଶାଙ୍କୁ ଯେଉଁ ଆଜ୍ଞା ଓ ବିଧି ଓ ଶାସନ ଆଦେଶ କରିଥିଲ, ତାହାସବୁ ଆମ୍ଭେମାନେ ପାଳନ କରି ନାହୁଁ।
8ତୁମ୍ଭେ ଆପଣା ଦାସ ମୋଶାଙ୍କୁ ଆଜ୍ଞା କରି କହିଥିଲ, ‘ତୁମ୍ଭେମାନେ ସତ୍ୟ-ଲଙ୍ଘନ କଲେ, ଆମ୍ଭେ ତୁମ୍ଭମାନଙ୍କୁ ନାନା ଗୋଷ୍ଠୀ ମଧ୍ୟରେ ଛିନ୍ନଭିନ୍ନ କରିବା;
9ମାତ୍ର ଯେବେ ତୁମ୍ଭେମାନେ ଆମ୍ଭ ପ୍ରତି ଫେରିବ ଓ ଆମ୍ଭ ଆଜ୍ଞା ପାଳନ କରି ତଦନୁଯାୟୀ କର୍ମ କରିବ, ତେବେ ତୁମ୍ଭମାନଙ୍କର ତ୍ୟକ୍ତ ଲୋକମାନେ ଆକାଶର ପ୍ରାନ୍ତସୀମାରେ ଥିଲେ ହେଁ ଆମ୍ଭେ ସେଠାରୁ ସେମାନଙ୍କୁ ସଂଗ୍ରହ କରିବା ଓ ଆମ୍ଭେ ଆପଣା ନାମ ସ୍ଥାପନାର୍ଥେ ଯେଉଁ ସ୍ଥାନ ମନୋନୀତ କରିଅଛୁ, ସେହି ସ୍ଥାନକୁ ସେମାନଙ୍କୁ ଆଣିବା; ବିନୟ କରୁଅଛି, ଆପଣାର ଏହି କଥା ସ୍ମରଣ କର।’