12ଆଉ, ସେମାନଙ୍କ ନିକଟବାସୀ ଯିହୁଦୀୟମାନେ ସବୁ ସ୍ଥାନରୁ ଆସି ଆମ୍ଭମାନଙ୍କୁ ଦଶ ଥର କହିଲେ, “ତୁମ୍ଭମାନଙ୍କୁ ଆମ୍ଭମାନଙ୍କ ନିକଟକୁ ଫେରି ଆସିବାକୁ ହେବ।”
13ଏହେତୁ ମୁଁ ପ୍ରାଚୀର ପଛଆଡ଼େ ନୀଚସ୍ଥ ମେଲା ସ୍ଥାନରେ ଲୋକମାନଙ୍କୁ ସେମାନଙ୍କ ପରିବାର ଅନୁସାରେ ସେମାନଙ୍କ ଖଡ୍ଗ ଓ ବର୍ଚ୍ଛା ଓ ଧନୁ ସହିତ ନିଯୁକ୍ତ କଲି।
14ତହୁଁ ମୁଁ ଦୃଷ୍ଟିପାତ କଲି ଓ ଉଠି କୁଳୀନମାନଙ୍କୁ ଓ ଅଧ୍ୟକ୍ଷମାନଙ୍କୁ ଓ ଅନ୍ୟାନ୍ୟ ଲୋକଙ୍କୁ କହିଲି; “ତୁମ୍ଭେମାନେ ସେମାନଙ୍କ ବିଷୟରେ ଭୀତ ହୁଅ ନାହିଁ; ପ୍ରଭୁଙ୍କୁ ସ୍ମରଣ କର, ସେ ମହାନ ଓ ଭୟଙ୍କର ଅଟନ୍ତି, ଆଉ ତୁମ୍ଭେମାନେ ଆପଣା ଆପଣା ଭ୍ରାତୃଗଣ, ପୁତ୍ର ଓ କନ୍ୟାଗଣ, ଆପଣା ଆପଣା ଭାର୍ଯ୍ୟାଗଣ ଓ ଗୃହ ନିମନ୍ତେ ଯୁଦ୍ଧ କର।”
15ପରେ ଆମ୍ଭମାନଙ୍କ ଶତ୍ରୁଗଣର ମନ୍ତ୍ରଣା ଆମ୍ଭମାନଙ୍କୁ ଜଣାଯାଇଅଛି ଓ ପରମେଶ୍ୱର ତାହା ବିଫଳ କରିଅଛନ୍ତି, ଏହା ସେମାନେ ଶୁଣନ୍ତେ, ଆମ୍ଭେମାନେ ପ୍ରତ୍ୟେକେ ପ୍ରାଚୀରରେ ଆପଣା ଆପଣା କାର୍ଯ୍ୟକୁ ଫେରିଗଲୁ।
16ଆଉ, ସେହି ଦିନଠାରୁ ଆମ୍ଭ ଦାସଗଣର ଅର୍ଦ୍ଧେକ କର୍ମ କଲେ ଓ ସେମାନଙ୍କର ଅର୍ଦ୍ଧେକ ବର୍ଚ୍ଛା, ଢାଲ, ଧନୁ, ଓ ସାଞ୍ଜୁଆ ଧରି ରହିଲେ; ପୁଣି, ଅଧ୍ୟକ୍ଷମାନେ ଯିହୁଦାର ସମଗ୍ର ଗୋଷ୍ଠୀର ପଛରେ ରହିଲେ।