12ମୁଁ କʼଣ ଏହି ସମସ୍ତ ଲୋକଙ୍କୁ ଗର୍ଭରେ ଧାରଣ କରିଅଛି? ମୁଁ କʼଣ ସେମାନଙ୍କୁ ଜନ୍ମ କରିଅଛି ଯେ, ତୁମ୍ଭେ ସେମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ଦେଶ ବିଷୟରେ ଶପଥ କରିଥିଲ, ‘ସେହି ଦେଶ ପର୍ଯ୍ୟନ୍ତ ଦୁଗ୍ଧପୋଷ୍ୟ ଶିଶୁ-ପାଳନକାରୀ ପିତା ତୁଲ୍ୟ ସେମାନଙ୍କୁ କୋଳରେ ବହି ଘେନିଯିବା ପାଇଁ ମୋତେ କହୁଅଛ?’
13ମୁଁ ଏହି ସମସ୍ତ ଲୋକଙ୍କୁ ଦେବା ପାଇଁ ମାଂସ କେଉଁଠାରୁ ପାଇବି? କାରଣ ସେମାନେ ମୋʼ ନିକଟରେ କାନ୍ଦି କହୁଅଛନ୍ତି, ‘ଆମ୍ଭମାନଙ୍କୁ ମାଂସ ଦିଅ,’ ଆମ୍ଭେମାନେ ଖାଇବା।
14ମୁଁ ଏକାକୀ ଏତେ ଲୋକଙ୍କର ଭାର ବହି ନ ପାରେ, କାରଣ ଏହା ମୋʼ ପାଇଁ ଅସହ୍ୟ ଅଟେ।
15ଆଉ ଯଦି ତୁମ୍ଭେ ମୋʼ ପ୍ରତି ଏପରି ବ୍ୟବହାର କର, ତେବେ ବିନୟ କରୁଅଛି, ମୁଁ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇଥିଲେ, ସେହିକ୍ଷଣି ମୋତେ ମାରି ପକାଅ; ପୁଣି, ମୋତେ ଆପଣା ଦୁର୍ଗତି ଦେଖିବାକୁ ଦିଅ ନାହିଁ।”
16ସେତେବେଳେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଯେଉଁମାନଙ୍କୁ ଲୋକମାନଙ୍କର ପ୍ରାଚୀନ ଓ ଅଧିପତି ବୋଲି ଜାଣୁଅଛ, ଇସ୍ରାଏଲର ଏପରି ସତୁରି ଜଣ ପ୍ରାଚୀନ ଲୋକଙ୍କୁ ଆମ୍ଭ ନିକଟରେ ଏକତ୍ର କର; ପୁଣି, ସେମାନଙ୍କୁ ସମାଗମ-ତମ୍ବୁ ଦ୍ୱାର ନିକଟକୁ ଆଣ, ସେମାନେ ତୁମ୍ଭ ସଙ୍ଗେ ସେଠାରେ ଠିଆ ହେବେ।