7ତହିଁରେ ମୋୟାବର ପ୍ରାଚୀନବର୍ଗ ଓ ମିଦୀୟନର ପ୍ରାଚୀନବର୍ଗ ମନ୍ତ୍ରର ପୁରସ୍କାର ହସ୍ତରେ ଘେନି ପ୍ରସ୍ଥାନ କଲେ; ପୁଣି, ସେମାନେ ବିଲୀୟମ୍ ନିକଟରେ ଉପସ୍ଥିତ ହୋଇ ବାଲାକଙ୍କ କଥା ତାହାକୁ କହିଲେ।
8ତହୁଁ ସେ ସେମାନଙ୍କୁ କହିଲା, “ତୁମ୍ଭେମାନେ ଆଜି ରାତ୍ରି ଏଠାରେ ରୁହ, ଆଉ ସଦାପ୍ରଭୁ ମୋତେ ଯାହା କହିବେ, ତାହା ମୁଁ ପୁନର୍ବାର ତୁମ୍ଭମାନଙ୍କୁ ଜଣାଇବି,” ତହିଁରେ ମୋୟାବର ଅଧିପତିମାନେ ବିଲୀୟମ୍ ସଙ୍ଗରେ ରହିଲେ।
9ଏଉତ୍ତାରେ ପରମେଶ୍ୱର ବିଲୀୟମ୍ ନିକଟକୁ ଆସି ତାହାକୁ କହିଲେ, “ତୁମ୍ଭ ସଙ୍ଗରେ ଏହି ଲୋକମାନେ କିଏ?”
10ତହୁଁ ବିଲୀୟମ୍ ପରମେଶ୍ୱରଙ୍କୁ କହିଲା, “ମୋୟାବର ରାଜା ସିପ୍ପୋରର ପୁତ୍ର ବାଲାକ ମୋʼ ନିକଟକୁ ଏହା କହି ପଠାଇଅଛନ୍ତି;
11‘ଦେଖ, ଏହି ଯେଉଁ ଲୋକମାନେ ମିସରରୁ ବାହାରି ଆସିଅଛନ୍ତି, ସେମାନେ ସମଗ୍ର ଦେଶକୁ ଆଚ୍ଛନ୍ନ କରିଅଛନ୍ତି; ଏବେ ତୁମ୍ଭେ ଆସି ଆମ୍ଭ ନିମନ୍ତେ ସେମାନଙ୍କୁ ଅଭିଶାପ ଦିଅ, ହୋଇପାରେ, ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରି ସେମାନଙ୍କୁ ତଡ଼ିଦେଇ ପାରିବା।’”