17ତହୁଁ ସେ ତାଙ୍କ ନିକଟକୁ ଆସିଲା, ଆଉ ଦେଖ, ସେ ଆପଣା ହୋମବଳି ନିକଟରେ ଠିଆ ହୋଇଥିଲେ, ଆଉ ମୋୟାବର ଅଧିପତିମାନେ ତାଙ୍କ ସଙ୍ଗରେ ଥିଲେ। ତେବେ ବାଲାକ ତାକୁ ପଚାରିଲେ, “ସଦାପ୍ରଭୁ କଅଣ କହିଅଛନ୍ତି?”
18ତହିଁରେ ସେ ଆପଣା ପ୍ରସଙ୍ଗ ନେଇ କହିଲା, “ହେ ବାଲାକ, ଉଠ, ଶ୍ରବଣ କର; ହେ ସିପ୍ପୋରର ପୁତ୍ର, ମୋʼ କଥାରେ କର୍ଣ୍ଣପାତ କର।
19ପରମେଶ୍ୱର ମନୁଷ୍ୟ ନୁହନ୍ତି ଯେ, ସେ ମିଥ୍ୟା କହିବେ; କିଅବା ସେ ମନୁଷ୍ୟର ସନ୍ତାନ ନୁହନ୍ତି ଯେ, ସେ ଅନୁତାପ କରିବେ; ସେ କହିଅଛନ୍ତି, ଆଉ ସେ କି ତାହା କରିବେ ନାହିଁ? ସେ କହିଅଛନ୍ତି, ଆଉ ତାହା କି ସେ ସିଦ୍ଧ କରିବେ ନାହିଁ?
20ଦେଖ, ମୁଁ ଆଶୀର୍ବାଦ କରିବାକୁ ଆଜ୍ଞା ପାଇଅଛି; ପୁଣି, ସେ ଆଶୀର୍ବାଦ କରିଅଛନ୍ତି, ଏଣୁ ମୁଁ ତାହା ଅନ୍ୟଥା କରି ନ ପାରେ।
21ସେ ଯାକୁବ ମଧ୍ୟରେ ଅଧର୍ମ ଦୃଷ୍ଟିଗୋଚର କରି ନାହାନ୍ତି, କିଅବା ସେ ଇସ୍ରାଏଲ ମଧ୍ୟରେ ଉପଦ୍ରବ ଦେଖି ନାହାନ୍ତି; ସେମାନଙ୍କର ପରମେଶ୍ୱର ସଦାପ୍ରଭୁ ସେମାନଙ୍କ ସଙ୍ଗରେ ଅଛନ୍ତି, ପୁଣି, ରାଜାର ଜୟଧ୍ୱନି ସେମାନଙ୍କ ମଧ୍ୟରେ ଅଛି।