11ଆଉ ହାରୋଣ ଇସ୍ରାଏଲ-ସନ୍ତାନଗଣ ପକ୍ଷରେ ଲେବୀୟମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ଉପହାର ରୂପେ ଉତ୍ସର୍ଗ କରିବ, ତହିଁରେ ସେମାନେ ସଦାପ୍ରଭୁଙ୍କର ସେବା କରି ପାରିବେ।
12ତହିଁ ଉତ୍ତାରେ ଲେବୀୟମାନେ ସେହି ଦୁଇ ଗୋବତ୍ସର ମସ୍ତକରେ ଆପଣାମାନଙ୍କ ହସ୍ତ ରଖିବେ; ତହୁଁ ତୁମ୍ଭେ ଲେବୀୟମାନଙ୍କ ପାଇଁ ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୋଟିଏକୁ ପାପାର୍ଥକ ବଳି ରୂପେ ଓ ଅନ୍ୟଟିକୁ ହୋମାର୍ଥକ ବଳି ରୂପେ ଉତ୍ସର୍ଗ କରିବ।
13ପୁଣି, ତୁମ୍ଭେ ହାରୋଣ ଓ ତାହାର ପୁତ୍ରଗଣ ସମ୍ମୁଖରେ ଲେବୀୟମାନଙ୍କୁ ଉପସ୍ଥିତ କରାଇ ଦୋଳନୀୟ ନୈବେଦ୍ୟ ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।
14ଏହିରୂପେ ତୁମ୍ଭେ ଇସ୍ରାଏଲ-ସନ୍ତାନଗଣଠାରୁ ଲେବୀୟମାନଙ୍କୁ ପୃଥକ କରିବ; ତହିଁରେ ଲେବୀୟମାନେ ଆମ୍ଭର ହେବେ।
15ତହିଁ ଉତ୍ତାରେ ଲେବୀୟମାନେ ସେବା କରିବା ନିମନ୍ତେ ସମାଗମ-ତମ୍ବୁରେ ପ୍ରବେଶ କରିବେ; ପୁଣି, ତୁମ୍ଭେ ସେମାନଙ୍କୁ ଶୁଚି କରି ଦୋଳନୀୟ ନୈବେଦ୍ୟ ରୂପେ ଉତ୍ସର୍ଗ କରିବ।