15ଆଉ ତିରିଶ ଜଣ ପ୍ରଧାନଙ୍କ ମଧ୍ୟରୁ ତିନି ଜଣ ଶୈଳକୁ, ଅର୍ଥାତ୍, ଅଦୁଲ୍ଲମ ଗୁମ୍ଫାକୁ ଦାଉଦଙ୍କ ନିକଟକୁ ଗଲେ। ସେତେବେଳେ ପଲେଷ୍ଟୀୟ ସୈନ୍ୟ ରଫାୟୀମ ଉପତ୍ୟକାରେ ଛାଉଣି ସ୍ଥାପନ କରିଥିଲେ।
16ପୁଣି, ସେସମୟରେ ଦାଉଦ ଦୁର୍ଗମ ସ୍ଥାନରେ ଥିଲେ ଓ ପଲେଷ୍ଟୀୟମାନଙ୍କର ପ୍ରହରୀ-ସୈନ୍ୟଦଳ ବେଥଲିହିମରେ ଥିଲେ।
17ଏଥିରେ ଦାଉଦ ତୃଷାର୍ତ୍ତ ହୋଇ କହିଲେ, “ଆଃ, କେହି ବେଥଲିହିମ-ନଗରଦ୍ୱାର ନିକଟସ୍ଥ କୂପର ଜଳ ପାନ କରିବାକୁ ମୋତେ ଦିଅନ୍ତା କି!”
18ତହିଁରେ ସେହି ତିନି ବୀର ପଲେଷ୍ଟୀୟମାନଙ୍କ ସୈନ୍ୟ ମଧ୍ୟଦେଇ ପଶିଯାଇ ବେଥଲିହିମ-ନଗରଦ୍ୱାର ନିକଟସ୍ଥ କୂପରୁ ଜଳ କାଢ଼ି ଦାଉଦଙ୍କ ନିକଟକୁ ତାହା ଆଣିଲେ; ମାତ୍ର ଦାଉଦ ତହିଁରୁ ପାନ କରିବାକୁ ସମ୍ମତ ନ ହୋଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ଢାଳିଦେଲେ, ଆଉ କହିଲେ,
19“ମୋʼ ପରମେଶ୍ୱର ଏପରି କର୍ମ କରିବାକୁ ମୋତେ ନ ଦେଉନ୍ତୁ; ପ୍ରାଣପଣରେ ଗମନକାରୀ ଏହି ମନୁଷ୍ୟମାନଙ୍କ ରକ୍ତ କି ମୁଁ ପାନ କରିବି? କାରଣ ସେମାନେ ପ୍ରାଣପଣରେ ତାହା ଆଣିଅଛନ୍ତି।” ଏଣୁ ସେ ତାହା ପାନ କରିବାକୁ ସମ୍ମତ ହେଲେ ନାହିଁ। ଏହି ସକଳ କର୍ମ ସେହି ତିନି ବୀର କରିଥିଲେ।