17ପୁଣି, ଦାଉଦ ପରମେଶ୍ୱରଙ୍କୁ କହିଲେ, “ଲୋକ ଗଣନା କରିବାକୁ ଯେ ଆଜ୍ଞା ଦେଲା, ସେ କʼଣ ମୁଁ ନୁହେଁ? ମୁଁ ସିନା ପାପ କରିଅଛି ଓ ଅତି ଦୁଷ୍କର୍ମ କରିଅଛି; ମାତ୍ର ଏହି ମେଷଗଣ କଅଣ କଲେ? ବିନୟ କରୁଅଛି, ହେ ସଦାପ୍ରଭୁ ଆମ୍ଭ ପରମେଶ୍ୱର, ତୁମ୍ଭ ହସ୍ତ ମୋʼ ବିରୁଦ୍ଧରେ ଓ ମୋʼ ପିତୃଗୃହ ପ୍ରତିକୂଳରେ ହେଉ, ମାତ୍ର, ତୁମ୍ଭର ଲୋକମାନଙ୍କୁ ପ୍ରହାର କରିବା ପାଇଁ ସେମାନଙ୍କ ପ୍ରତିକୂଳରେ ନ ହେଉ।”
18ସେତେବେଳେ ସଦାପ୍ରଭୁଙ୍କ ଦୂତ ଦାଉଦଙ୍କୁ କହିବା ପାଇଁ ଗାଦ୍କୁ ଆଜ୍ଞା କଲେ ଯେ, ଦାଉଦ ଯାଇ ଯିବୂଷୀୟ ଅରଣନର ଶସ୍ୟମର୍ଦ୍ଦନ ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ସ୍ଥାପନ କରୁ।
19ତହୁଁ ସଦାପ୍ରଭୁଙ୍କ ନାମରେ କଥିତ ଗାଦ୍ର ବାକ୍ୟାନୁସାରେ ଦାଉଦ ଗଲେ।
20ସେତେବେଳେ ଅରଣନ ଗହମ ମଳୁଥିଲା; ପୁଣି, ସେ ମୁଖ ଫେରାଇ ଦୂତଙ୍କୁ ଦେଖିଲା; ତହୁଁ ତାହାର ସଙ୍ଗେ ଥିବା ଚାରି ପୁତ୍ର ଲୁଚିଲେ।
21ଆଉ ଦାଉଦ ଅରଣନ ନିକଟକୁ ଆସୁ ଆସୁ ଅରଣନ ଅନାଇ ଦାଉଦଙ୍କୁ ଦେଖନ୍ତେ, ଶସ୍ୟମର୍ଦ୍ଦନ ସ୍ଥାନରୁ ବାହାରି ଆସି ଦାଉଦଙ୍କ ନିକଟରେ ମୁହଁ ମାଡ଼ି ଭୂମିଷ୍ଠ ପ୍ରଣାମ କଲା।