19ତଥାପି ମୁଁ ଯେପରି ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦେଇ ପାରେ, ଏଥିନିମନ୍ତେ ମଣ୍ଡଳୀରେ ପରଭାଷାରେ ଦଶ ହଜାର କଥା କହିବା ଅପେକ୍ଷା ବରଂ ବୁଦ୍ଧି ସହିତ ପାଞ୍ଚୋଟି କଥା କହିବାକୁ ଭଲ ପାଏ।
20ହେ ଭାଇମାନେ, ବୁଦ୍ଧିରେ ବାଳକ ପରି ହୁଅ ନାହିଁ, ବରଂ ମନ୍ଦ ବିଷୟରେ ଶିଶୁ ପରି ହୁଅ, କିନ୍ତୁ ବୁଦ୍ଧିରେ ପୂର୍ଣ୍ଣ-ବୟସ୍କ ହୁଅ।
21ବ୍ୟବସ୍ଥାରେ ଲେଖାଅଛି, “ପ୍ରଭୁ କହନ୍ତି, ବିଦେଶୀୟ ଭାଷାବାଦୀମାନଙ୍କ ଦ୍ୱାରା ଓ ବିଦେଶୀୟମାନଙ୍କ ମୁଖ ଦ୍ୱାରା ଆମ୍ଭେ ଏହି ଲୋକମାନଙ୍କୁ କଥା କହିବା, ତାହାହେଲେ ସୁଦ୍ଧା ସେମାନେ ଆମ୍ଭର କଥା ଶୁଣିବେ ନାହିଁ।”
22ଏଣୁ ପରଭାଷାରେ କଥା କହିବା ବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନସ୍ୱରୂପ ନୁହେଁ, ମାତ୍ର ଅବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନସ୍ୱରୂପ; ଅନ୍ୟ ପକ୍ଷରେ ଭାବବାଣୀ କହିବା ଅବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନସ୍ୱରୂପ ନୁହେଁ, ମାତ୍ର ବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନସ୍ୱରୂପ।
23ଆହୁରି ମଧ୍ୟ ସମସ୍ତ ମଣ୍ଡଳୀ ଯଦି ସମବେତ ହୁଏ ଓ ସମସ୍ତେ ପରଭାଷାରେ କଥା କହନ୍ତି, ପୁଣି, ସାଧାରଣ ବା ଅବିଶ୍ୱାସୀ ଲୋକମାନେ ଆସନ୍ତି, ତାହାହେଲେ ତୁମ୍ଭେମାନେ ପାଗଳ ବୋଲି କଅଣ ସେମାନେ କହିବେ ନାହିଁ?