13ଯେଉଁମାନେ ମନ୍ଦିରରେ ସେବା କରନ୍ତି, ସେମାନେ ଯେ ମନ୍ଦିରରୁ ଖାଦ୍ୟ ପାଆନ୍ତି, ପୁଣି, ଯେଉଁମାନେ ବେଦିର ସେବାରେ ନିବିଷ୍ଟ ରହନ୍ତି, ସେମାନେ ଯେ ବେଦୀ ସହିତ ଅଂଶୀ ହୁଅନ୍ତି, ଏହା କଅଣ ଜାଣ ନାହିଁ?
14ସେହି ପ୍ରକାରେ ଯେଉଁମାନେ ସୁସମାଚାର ପ୍ରଚାର କରନ୍ତି, ସେମାନେ ଯେ ସୁସମାଚାର ଦ୍ୱାରା ଜୀବନ ନିର୍ବାହ କରିବେ, ଏହା ପ୍ରଭୁ ଆଦେଶ ଦେଇଅଛନ୍ତି।
15କିନ୍ତୁ ମୁଁ ଏହିସବୁ ବିଷୟ କିଛି ବ୍ୟବହାର କରି ନାହିଁ, ଆଉ ମୋʼ ପ୍ରତି ଯେ ଏହିପରି କରାଯିବ, ଏଥିପାଇଁ ମୁଁ ଏହିସବୁ ଲେଖୁ ନାହିଁ; କାରଣ କେହି ମୋହର ଏହି ଦର୍ପ ବ୍ୟର୍ଥ କରିବା ଅପେକ୍ଷା ବରଂ ମୋହର ମରିବା ଭଲ।
16କାରଣ ମୁଁ ଯଦି ସୁସମାଚାର ପ୍ରଚାର କରେ, ସେଥିରେ ମୋହର ଦର୍ପ କରିବାର କିଛି ନାହିଁ, ଯେଣୁ ତାହା କରିବା ନିମନ୍ତେ ମୁଁ ବାଧ୍ୟ; ଆଉ ଯଦି ମୁଁ ସୁସମାଚାର ପ୍ରଚାର ନ କରେ, ତେବେ ହାୟ, ମୁଁ ଦଣ୍ଡର ପାତ୍ର।
17କାରଣ ଯଦି ମୁଁ ସ୍ୱେଚ୍ଛାରେ ଏହା କରେ, ତେବେ ମୋହର ପୁରସ୍କାର ଅଛି; କିନ୍ତୁ ଯଦି ସ୍ୱେଚ୍ଛାରେ ନ କରେ, ତେବେ ହେଁ ସେବକପଦର ଭାର ମୋʼ ଠାରେ ସମର୍ପିତ ହୋଇଅଛି।