20ଯେପରି ମୁଁ ଯିହୁଦୀମାନଙ୍କୁ ଲାଭ କରିପାରେ, ଏଥିପାଇଁ ଯିହୁଦୀମାନଙ୍କ ନିକଟରେ ମୁଁ ଯିହୁଦୀ ପରି ହେଲି; ଯେପରି ମୋଶାଙ୍କ ବ୍ୟବସ୍ଥା ଅଧୀନରେ ଥିବା ଲୋକମାନଙ୍କୁ ଲାଭ କରିପାରେ, ଏଥିପାଇଁ ମୁଁ ମୋଶାଙ୍କ ବ୍ୟବସ୍ଥାର ଅଧୀନ ନ ହେଲେ ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ଅଧୀନ ଲୋକମାନଙ୍କ ନିକଟରେ ମୋଶାଙ୍କ ବ୍ୟବସ୍ଥା ଅଧୀନର ପରି ହେଲି।
21ଯେପରି ମୁଁ ମୋଶାଙ୍କ ବ୍ୟବସ୍ଥାବିହୀନ ଲୋକମାନଙ୍କୁ ଲାଭ କରିପାରେ, ଏଥିପାଇଁ ମୁଁ ଈଶ୍ବରଙ୍କ ବ୍ୟବସ୍ଥାବିହୀନ ନ ହୋଇ ଏବଂ ଖ୍ରୀଷ୍ଟଙ୍କ ବ୍ୟବସ୍ଥାର ଅନୁଗତ ହେଲେ ହେଁ ମୋଶାଙ୍କ ବ୍ୟବସ୍ଥାବିହୀନ ଲୋକମାନଙ୍କ ନିକଟରେ ମୋଶାଙ୍କ ବ୍ୟବସ୍ଥାବିହୀନ ପରି ହେଲି।
22ଯେପରି ମୁଁ ଦୁର୍ବଳମାନଙ୍କୁ ଲାଭ କରିପାରେ, ଏଥିପାଇଁ ମୁଁ ଦୁର୍ବଳମାନଙ୍କ ନିକଟରେ ଦୁର୍ବଳ ପରି ହେଲି; ଯେପରି ମୁଁ ଯେକୌଣସି ପ୍ରକାରେ କେତେକଙ୍କୁ ରକ୍ଷା କରିପାରେ, ଏଥିପାଇଁ ମୁଁ ସମସ୍ତଙ୍କ ନିକଟରେ ସବୁପ୍ରକାର ହୋଇଅଛି।
23ମୁଁ ଯେପରି ସୁସମାଚାରର ଆଶୀର୍ବାଦର ସହଭାଗୀ ହୁଏ, ଏଥିପାଇଁ ମୁଁ ସୁସମାଚାର ନିମନ୍ତେ ସବୁ କରେ।
24ଯେଉଁମାନେ ରଙ୍ଗଭୂମିରେ ଦୌଡ଼ନ୍ତି, ସେମାନେ ସମସ୍ତେ ଦୌଡ଼ନ୍ତି ସତ, କିନ୍ତୁ କେବଳ ଜଣେ ଯେ ପଣ ପାଏ, ଏହା କି ତୁମ୍ଭେମାନେ ଜାଣ ନାହିଁ? ତୁମ୍ଭେମାନେ ଯେପରି ପଣ ପାଇବ, ଏଥିପାଇଁ ସେହିପରି ଦୌଡ଼।