18ହେ ବତ୍ସଗଣ, ଶେଷକାଳ ଉପସ୍ଥିତ, ପୁଣି, ଭଣ୍ଡଖ୍ରୀଷ୍ଟ ଆସିବ ବୋଲି ତୁମ୍ଭେମାନେ ଯେପରି ଶୁଣିଥିଲ, ସେହିପରି ଏବେ ମଧ୍ୟ ଅନେକ ଭଣ୍ଡଖ୍ରୀଷ୍ଟ ଉଠିଲେଣି; ଏତଦ୍ଵାରା ଆମ୍ଭେମାନେ ଜାଣୁଅଛୁ ଯେ, ଶେଷକାଳ ଉପସ୍ଥିତ।
19ସେମାନେ ଆମ୍ଭମାନଙ୍କ ମଧ୍ୟରୁ ବାହାରିଲେ, କିନ୍ତୁ ଆମ୍ଭମାନଙ୍କ ଦଳର ଲୋକ ନ ଥିଲେ; କାରଣ ଯଦି ଆମ୍ଭମାନଙ୍କ ଦଳର ଲୋକ ହୋଇଥାଆନ୍ତେ, ତେବେ ଆମ୍ଭମାନଙ୍କ ସହିତ ରହିଥାଆନ୍ତେ; କିନ୍ତୁ ସମସ୍ତେ ଯେ ଆମ୍ଭମାନଙ୍କ ଦଳର ଲୋକ ନୁହଁନ୍ତି, ଏହା ଯେପରି ପ୍ରକାଶ ପାଇବ, ଏଥିନିମନ୍ତେ ସେମାନେ ବାହାରିଗଲେ।
20ଆଉ ତୁମ୍ଭେମାନେ ସେହି ପବିତ୍ର ବ୍ୟକ୍ତିଙ୍କଠାରୁ ଅଭିଷେକ ପାଇଥିବାରୁ ତୁମ୍ଭେ ସମସ୍ତେ ଜ୍ଞାନ ପ୍ରାପ୍ତ ହୋଇଅଛ।
21ତୁମ୍ଭେମାନେ ସତ୍ୟ ଜାଣି ନ ଥିବାରୁ ମୁଁ ଯେ ତୁମ୍ଭମାନଙ୍କ ନିକଟକୁ ଲେଖିଲି, ତାହା ନୁହେଁ, ମାତ୍ର ତୁମ୍ଭେମାନେ ସତ୍ୟ ଜାଣିଥିବାରୁ ଓ କୌଣସି ମିଥ୍ୟା ସତ୍ୟରୁ ଜାତ ହୁଏ ନାହିଁ ବୋଲି ଜାଣିଥିବାରୁ ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି।
22ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହା ଯେ ନାସ୍ତି କରେ, ତାହାଠାରୁ ଆଉ ମିଥ୍ୟାବାଦୀ କିଏ? ଯେ ପିତା ଓ ପୁତ୍ରଙ୍କୁ ନାସ୍ତି କରେ, ସେ ତ ସେହି ଭଣ୍ଡଖ୍ରୀଷ୍ଟ।