7ତୁମ୍ଭେ ଯାଇ ଯାରବୀୟାମକୁ କୁହ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; ‘ଆମ୍ଭେ ଲୋକମାନଙ୍କ ମଧ୍ୟରୁ ତୁମ୍ଭକୁ ଉନ୍ନତ କରି ଆମ୍ଭ ଲୋକ ଇସ୍ରାଏଲ ଉପରେ ତୁମ୍ଭକୁ ରାଜା କଲୁ;
8ଓ ଦାଉଦ-ବଂଶଠାରୁ ରାଜ୍ୟ ଚିରି ନେଇ ତୁମ୍ଭକୁ ଦେଲୁ; ତଥାପି ଆମ୍ଭ ଦାସ ଦାଉଦ, ଯେ ଆମ୍ଭ ଆଜ୍ଞାସବୁ ପାଳନ କଲା ଓ ଆମ୍ଭ ଦୃଷ୍ଟିରେ ଯାହା ଭଲ, କେବଳ ତାହା କରିବା ପାଇଁ ଆପଣା ସର୍ବାନ୍ତଃକରଣ ସହିତ ଆମ୍ଭର ଅନୁଗତ ହେଲା, ତାହା ପରି ତୁମ୍ଭେ ହୋଇ ନାହଁ;
9ମାତ୍ର ତୁମ୍ଭ ପୂର୍ବରେ ଯେଉଁମାନେ ଥିଲେ, ସେସମସ୍ତଙ୍କ ଅପେକ୍ଷା ତୁମ୍ଭେ ଅଧିକ କୁକର୍ମ କରିଅଛ, ପୁଣି, ଆମ୍ଭକୁ ବିରକ୍ତ କରିବା ପାଇଁ ତୁମ୍ଭେ ଯାଇ ଆପଣା ନିମନ୍ତେ ଅନ୍ୟ ଦେବଗଣ ଓ ଛାଞ୍ଚରେ ଢଳା ପ୍ରତିମାମାନ ନିର୍ମାଣ କରିଅଛ ଓ ଆମ୍ଭକୁ ଆପଣା ପଛଆଡ଼େ ପକାଇ ଦେଇଅଛ;
10ଏହେତୁ ଦେଖ, ଆମ୍ଭେ ଯାରବୀୟାମ-ବଂଶ ପ୍ରତି ଅମଙ୍ଗଳ ଘଟାଇବା, ପୁଣି, ଇସ୍ରାଏଲ ମଧ୍ୟରେ ବଦ୍ଧ ବା ମୁକ୍ତ ପ୍ରତ୍ୟେକ ପୁଂସନ୍ତାନକୁ ଯାରବୀୟାମଠାରୁ ଲୋପ କରିବା ଓ ଯେପରି କୌଣସି ମନୁଷ୍ୟ ମଇଳା ସମ୍ପୂର୍ଣ୍ଣ ଯିବା ପର୍ଯ୍ୟନ୍ତ ଝାଡୁ କରେ, ସେପରି ଆମ୍ଭେ ଯାରବୀୟାମ ଗୃହକୁ ନିଃଶେଷରେ ବିନାଶ କରିବା।
11ଯାରବୀୟାମର କେହି ନଗରରେ ମଲେ, କୁକ୍କୁରମାନେ ତାକୁ ଖାଇବେ ଓ କେହି କ୍ଷେତ୍ରରେ ମଲେ, ଆକାଶର ପକ୍ଷୀମାନେ ତାକୁ ଖାଇବେ; କାରଣ ସଦାପ୍ରଭୁ ଏହା କହିଅଛନ୍ତି।’