3ତେବେ ଯାବେଶର ପ୍ରାଚୀନମାନେ ତାହାକୁ କହିଲେ, “ସାତ ଦିନ ଆମ୍ଭମାନଙ୍କୁ ଛାଡ଼ିଦିଅ, ଆମ୍ଭେମାନେ ଇସ୍ରାଏଲ ସୀମାର ସର୍ବତ୍ର ଦୂତ ପଠାଇବା; ତହିଁରେ କେହି ଯେବେ ଆମ୍ଭମାନଙ୍କୁ ଉଦ୍ଧାର କରିବାକୁ ନ ଥାଏ, ତେବେ ଆମ୍ଭେମାନେ ବାହାର ହୋଇ ତୁମ୍ଭ ନିକଟକୁ ଆସିବୁ।”
4ଏଥିଉତ୍ତାରେ ଦୂତମାନେ ଶାଉଲଙ୍କ ବାସସ୍ଥାନ ଗିବୀୟାକୁ ଆସି ଲୋକମାନଙ୍କ କର୍ଣ୍ଣଗୋଚରରେ ସେହି ସବୁ କଥା କହିଲେ; ତହିଁରେ ସମସ୍ତ ଲୋକ ଆପଣା ଆପଣା ରବ ଉଠାଇ ରୋଦନ କଲେ।
5ଏହି ସମୟରେ ଦେଖ, ଶାଉଲ କ୍ଷେତ୍ରରୁ ବଳଦମାନଙ୍କ ପଛେ ଆସୁ ଆସୁ ଉପସ୍ଥିତ ହେଲେ; ଆଉ ଶାଉଲ ପଚାରିଲେ, “ଲୋକମାନଙ୍କର କଅଣ ହେଲା ଯେ, ସେମାନେ ରୋଦନ କରୁଅଛନ୍ତି?” ତହିଁରେ ସେମାନେ ଯାବେଶର ଲୋକମାନଙ୍କ କଥା ତାଙ୍କୁ ଜଣାଇଲେ।
6ସେହି କଥା ଶୁଣିବାମାତ୍ରେ ପରମେଶ୍ୱରଙ୍କ ଆତ୍ମା ଶାଉଲଙ୍କୁ ଆକ୍ରାନ୍ତ କରନ୍ତେ, ତାଙ୍କର କ୍ରୋଧ ଅତିଶୟ ପ୍ରଜ୍ୱଳିତ ହେଲା।
7ତହୁଁ ସେ ଏକ ହଳ ବଳଦ ନେଇ ଖଣ୍ଡ ଖଣ୍ଡ କରି କାଟିଲେ ଓ ଦୂତମାନଙ୍କ ହସ୍ତରେ ଇସ୍ରାଏଲ ସୀମାର ସର୍ବତ୍ର ତାହା ପଠାଇ କହିଲେ, “ଯେକେହି ବାହାରି ଶାଉଲ ଓ ଶାମୁୟେଲଙ୍କର ପଶ୍ଚାଦ୍ଗମନ ନ କରେ, ତାହାର ବଳଦମାନଙ୍କ ପ୍ରତି ଏହିପରି କରାଯିବ।” ତହୁଁ ସଦାପ୍ରଭୁଙ୍କଠାରୁ ଲୋକମାନଙ୍କ ଉପରେ ଆଶଙ୍କା ପଡ଼ନ୍ତେ, ସେମାନେ ଏକ ମନୁଷ୍ୟ ପରି ବାହାର ହୋଇ ଆସିଲେ।