3ମଧ୍ୟ ଯେଉଁ ଏଲି ଶୀଲୋରେ ସଦାପ୍ରଭୁଙ୍କ ଯାଜକ ଥିଲେ, ତାଙ୍କ ପ୍ରପୌତ୍ର, ପୀନହସ୍ର ପୌତ୍ର, ଐକାବୋଦର ଭ୍ରାତା ଅହୀଟୂବ୍ର ପୁତ୍ର ଅହୀୟ ଏଫୋଦ ପିନ୍ଧି ସେଠାରେ ଥିଲା। ଆଉ ଯୋନାଥନ ଯେ ବାହାର ହୋଇ ଯାଇଅଛି, ଏ କଥା ଲୋକମାନେ ଜାଣି ନ ଥିଲେ।
4ପୁଣି, ଯୋନାଥନ ଯେଉଁ ଘାଟି ଦେଇ ପଲେଷ୍ଟୀୟମାନଙ୍କ ପ୍ରହରୀ-ଦଳ ନିକଟକୁ ଯିବାକୁ ଚେଷ୍ଟା କଲା, ତହିଁର ମଧ୍ୟସ୍ଥଳରେ ଏକପାଖେ ଦନ୍ତାକାର ଏକ ଶୈଳ ଓ ଅନ୍ୟ ପାଖେ ଦନ୍ତାକାର ଏକ ଶୈଳ ଥିଲା; ତହିଁର ଏକର ନାମ ବୋତ୍ସେସ ଓ ଅନ୍ୟର ନାମ ସେନି।
5ତହିଁ ମଧ୍ୟରୁ ଏକ ସ୍ତମ୍ଭାକାର ଦନ୍ତ ଉତ୍ତର ଆଡ଼ ମିକ୍ମସ୍ର ଅଭିମୁଖରେ ଓ ଅନ୍ୟଟି ଦକ୍ଷିଣ ଆଡ଼େ ଗେବା ଅଭିମୁଖରେ ଥିଲା।
6ପୁଣି, ଯୋନାଥନ ଆପଣା ଅସ୍ତ୍ରବାହକ ଯୁବାକୁ କହିଲା, “ଆସ, ଆମ୍ଭେମାନେ ସେହି ଅସୁନ୍ନତମାନଙ୍କ ପ୍ରହରୀ-ଦଳ ନିକଟକୁ ଯାଉ; ହୋଇପାରେ, ସଦାପ୍ରଭୁ ଆମ୍ଭମାନଙ୍କ ପକ୍ଷରେ କର୍ମ କରିବେ; ଯେହେତୁ ଅନେକ ଦ୍ୱାରା ହେଉ କି ଅଳ୍ପ ଦ୍ୱାରା ହେଉ, ଉଦ୍ଧାର କରିବାରେ ସଦାପ୍ରଭୁଙ୍କର କୌଣସି ପ୍ରତିବନ୍ଧକ ନାହିଁ।”
7ତହିଁରେ ତାହାର ଅସ୍ତ୍ରବାହକ କହିଲା, “ତୁମ୍ଭ ମନରେ ଯାହା ଅଛି, ସବୁ କର; ଚାଲ, ଦେଖ ଆମ୍ଭେ ତୁମ୍ଭ ମନ ପରି ତୁମ୍ଭ ସଙ୍ଗରେ ଅଛୁ।”