20ଏଥିରେ ଶାଉଲ ଶାମୁୟେଲଙ୍କୁ କହିଲେ, “ମୁଁ ସଦାପ୍ରଭୁଙ୍କ ରବ ଶୁଣିଲି ଓ ସଦାପ୍ରଭୁ ମୋତେ ଯେଉଁ ଯାତ୍ରା କରିବାକୁ ପଠାଇଲେ, ତାହା କଲି ଓ ଅମାଲେକର ରାଜା ଅଗାଗକୁ ଆଣିଲି, ପୁଣି, ଅମାଲେକୀୟମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କଲି।
21ମାତ୍ର ଲୋକମାନେ ଗିଲ୍ଗଲ୍ରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ପାଇଁ ବିନାଶାର୍ଥେ ବର୍ଜିତ ଦ୍ରବ୍ୟ ମଧ୍ୟରୁ ଲୁଟ ରୂପେ ଉତ୍ତମ ଉତ୍ତମ ମେଷ ଓ ଗୋରୁ ନେଲେ।”
22ତହିଁରେ ଶାମୁୟେଲ କହିଲେ, “ଯେପରି ସଦାପ୍ରଭୁଙ୍କ ରବ ଶୁଣିବାରେ, ସେପରି କି ହୋମ ଓ ବଳିଦାନରେ ସଦାପ୍ରଭୁଙ୍କର ସନ୍ତୋଷ ହୁଏ? ଦେଖ, ଶୁଣିବା ବଳିଦାନଠାରୁ ଓ ମନୋଯୋଗୀ ହେବା ମେଷମେଦଠାରୁ ଉତ୍ତମ।
23ଯେହେତୁ ବିଦ୍ରୋହ ମନ୍ତ୍ର ପାଠ ପାପ ତୁଲ୍ୟ ଓ ଅବାଧ୍ୟତା ଅବସ୍ତୁର ଓ ଠାକୁରମାନର ପୂଜା ତୁଲ୍ୟ। ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ତୁଚ୍ଛ କରିଅଛ, ଏଥିପାଇଁ ସେ ମଧ୍ୟ ତୁମ୍ଭକୁ ରାଜା ହୋଇଥିବା ପାଇଁ ତୁଚ୍ଛ କରିଅଛନ୍ତି।”
24ଏଥିରେ ଶାଉଲ ଶାମୁୟେଲଙ୍କୁ କହିଲେ, “ମୁଁ ପାପ କରିଅଛି; କାରଣ ମୁଁ ସଦାପ୍ରଭୁଙ୍କର ଆଜ୍ଞା ଓ ତୁମ୍ଭ ବାକ୍ୟ ଲଙ୍ଘନ କରିଅଛି; ମୁଁ ଲୋକମାନଙ୍କୁ ଭୟ କରି ସେମାନଙ୍କ ରବ ଶୁଣିଲି।