6ପୁଣି, ସେମାନେ ଆସିଲା ଉତ୍ତାରେ ସେ ଇଲୀୟାବ୍ ପ୍ରତି ଦୃଷ୍ଟି କରି କହିଲେ, “ଅବଶ୍ୟ ସଦାପ୍ରଭୁଙ୍କ ଆଗରେ ତାହାଙ୍କର ଅଭିଷିକ୍ତ ଲୋକ ଉପସ୍ଥିତ।”
7ମାତ୍ର ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, “ଏହାର ରୂପ କି ଶରୀରର ଉଚ୍ଚତା ପ୍ରତି ଦୃଷ୍ଟି ନ କର; ଯେହେତୁ ଆମ୍ଭେ ଏହାକୁ ଅଗ୍ରାହ୍ୟ କଲୁ; ପୁଣି, ମନୁଷ୍ୟ ଯେପରି ଦେଖେ, ସଦାପ୍ରଭୁ ସେପରି ଦେଖନ୍ତି ନାହିଁ; କାରଣ ମନୁଷ୍ୟ ବାହ୍ୟରୂପ ଦେଖେ ମାତ୍ର ସଦାପ୍ରଭୁ ଅନ୍ତଃକରଣ ଦେଖନ୍ତି;”
8ଏଉତ୍ତାରେ ଯିଶୀ ଅବୀନାଦବକୁ ଡାକି ଶାମୁୟେଲଙ୍କର ସମ୍ମୁଖ ଦେଇ ଗମନ କରାଇଲା। ତହିଁରେ ଶାମୁୟେଲ କହିଲେ, “ସଦାପ୍ରଭୁ ଏହାକୁ ହିଁ ମନୋନୀତ କରି ନାହାନ୍ତି।”
9ତେବେ ଯିଶୀ ଶମ୍ମକୁ ଗମନ କରାଇଲା; ତହିଁରେ ସେ କହିଲେ, “ସଦାପ୍ରଭୁ ଏହାକୁ ମଧ୍ୟ ମନୋନୀତ କରି ନାହାନ୍ତି।”
10ଏହିରୂପେ ଯିଶୀ ଆପଣାର ସାତ ପୁତ୍ରଙ୍କୁ ଶାମୁୟେଲଙ୍କ ସମ୍ମୁଖରେ ଗମନ କରାଇଲା; ମାତ୍ର ଶାମୁୟେଲ ଯିଶୀକୁ କହିଲେ, “ସଦାପ୍ରଭୁ ଏମାନଙ୍କୁ ମନୋନୀତ କରି ନାହାନ୍ତି।”