47ଆଉ ଏହି ସମସ୍ତ ସମାଜ ଜାଣିବେ ଯେ, ସଦାପ୍ରଭୁ ଖଡ୍ଗ ଓ ବର୍ଚ୍ଛା ଦ୍ୱାରା ଉଦ୍ଧାର କରନ୍ତି ନାହିଁ; କାରଣ ଏହି ଯୁଦ୍ଧ ସଦାପ୍ରଭୁଙ୍କର ଓ ସେ ତୁମ୍ଭମାନଙ୍କୁ ଆମ୍ଭମାନଙ୍କ ହସ୍ତରେ ସମର୍ପଣ କରିବେ।”
48ଏଉତ୍ତାରେ ସେହି ପଲେଷ୍ଟୀୟ ଉଠି ଦାଉଦଙ୍କ ସଙ୍ଗେ ଭେଟିବାକୁ ଆସି ନିକଟବର୍ତ୍ତୀ ହୁଅନ୍ତେ, ଦାଉଦ ଶୀଘ୍ର ସେହି ପଲେଷ୍ଟୀୟ ସହିତ ଭେଟିବାକୁ ସୈନ୍ୟଶ୍ରେଣୀ ଆଡ଼େ ଦୌଡ଼ିଲେ।
49ପୁଣି, ଦାଉଦ ଆପଣା ଝୁଲିରେ ହାତ ପୂରାଇ ତହିଁରୁ ଗୋଟିଏ ପଥର କାଢ଼ି ଛାଟିଣୀରେ ମାରି ସେହି ପଲେଷ୍ଟୀୟର କପାଳକୁ ଆଘାତ କଲେ; ତହିଁରେ ସେ ପଥର ତାହା କପାଳରେ ପଶିଯାʼନ୍ତେ, ସେ ମୁହଁ ମାଡ଼ି ଭୂମିରେ ପଡ଼ିଲା।
50ଏହି ପ୍ରକାରେ ଦାଉଦ ଛାଟିଣୀ ଓ ପଥର ଦ୍ୱାରା ସେହି ପଲେଷ୍ଟୀୟ ଉପରେ ଜୟଲାଭ କଲେ ଓ ପଲେଷ୍ଟୀୟକୁ ଆଘାତ କରି ବଧ କଲେ, ମାତ୍ର ଦାଉଦଙ୍କ ହସ୍ତରେ ଖଡ୍ଗ ନ ଥିଲା।
51ତହୁଁ ଦାଉଦ ଦୌଡ଼ିଯାଇ ସେହି ପଲେଷ୍ଟୀୟ ଉପରେ ଠିଆ ହେଲେ ଓ ତାହାର ଖଡ୍ଗ ଧରି ଖାପରୁ କାଢ଼ି ତାହାକୁ ବଧ କଲେ ଓ ତଦ୍ଦ୍ୱାରା ତାହାର ମସ୍ତକ ଛେଦନ କଲେ। ଆଉ ପଲେଷ୍ଟୀୟମାନେ ଆପଣାମାନଙ୍କ ବୀରକୁ ମୃତ ଦେଖି ପଳାଇଲେ।