29ତେବେ ଆମ୍ଭେ ଆପଣା ଆବାସରେ ଯେ ଯେ ବଳି ଓ ନୈବେଦ୍ୟ ଉତ୍ସର୍ଗ କରିବାକୁ ଆଜ୍ଞା ଦେଇଅଛୁ, ତୁମ୍ଭେମାନେ କାହିଁକି ତହିଁରେ ପଦାଘାତ କରୁଅଛ? ପୁଣି, ଆମ୍ଭ ଲୋକ ଇସ୍ରାଏଲର ସର୍ବୋତ୍ତମ ସମସ୍ତ ନୈବେଦ୍ୟରେ ଆପଣାମାନଙ୍କୁ ହୃଷ୍ଟପୁଷ୍ଟ କରିବା ନିମନ୍ତେ ଆମ୍ଭ ଅପେକ୍ଷା ଆପଣା ପୁତ୍ରମାନଙ୍କର ଅଧିକ ଗୌରବ କରୁଅଛ?’
30ଏଣୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ‘ତୁମ୍ଭ ଗୃହ ଓ ତୁମ୍ଭ ପିତୃଗୃହ ଆମ୍ଭ ସମ୍ମୁଖରେ ଅନନ୍ତକାଳ ଗମନାଗମନ କରିବେ ବୋଲି ଆମ୍ଭେ କହିଥିଲୁ ପ୍ରମାଣ,’ ମାତ୍ର ଏବେ ସଦାପ୍ରଭୁ କହନ୍ତି, ‘ତାହା ଆମ୍ଭଠାରୁ ଦୂର ହେଉ; କାରଣ ଯେଉଁମାନେ ଆମ୍ଭର ଗୌରବ କରନ୍ତି, ଆମ୍ଭେ ସେମାନଙ୍କର ଗୌରବ କରିବା, ମାତ୍ର ଯେଉଁମାନେ ଆମ୍ଭକୁ ତୁଚ୍ଛଜ୍ଞାନ କରନ୍ତି, ସେମାନେ ଲଘୁ ଜ୍ଞାନ କରାଯିବେ।
31ଦେଖ, ଯେଉଁ ଦିନ ଆମ୍ଭେ ତୁମ୍ଭର ବାହୁ ଓ ତୁମ୍ଭ ପିତୃଗୃହର ବାହୁ କାଟି ପକାଇବା, ଏପରି ଦିନ ଆସୁଅଛି, ତହିଁରେ ତୁମ୍ଭ ଗୃହରେ ଜଣେ ବୃଦ୍ଧ ଲୋକ ରହିବ ନାହିଁ।
32ପୁଣି, ପରମେଶ୍ୱର ଇସ୍ରାଏଲକୁ ଯେ ଯେ ମଙ୍ଗଳ ପ୍ରଦାନ କରିବେ, ସେସବୁ ମଧ୍ୟରେ ତୁମ୍ଭେ ଆମ୍ଭ ଆବାସରେ ବିପତ୍ତି ଦେଖିବ; ଆଉ ତୁମ୍ଭ ଗୃହରେ କେହି କଦାପି ବୃଦ୍ଧ ହେବ ନାହିଁ।
33ଆଉ ତୁମ୍ଭର ଯେଉଁ ଲୋକକୁ ଆମ୍ଭେ ଆପଣା ଯଜ୍ଞବେଦିରୁ ଉଚ୍ଛିନ୍ନ ନ କରିବା, ସେ ତୁମ୍ଭ ଚକ୍ଷୁର କ୍ଷୟ ଓ ତୁମ୍ଭ ହୃଦୟର ଶୋକ ଜନ୍ମାଇବାକୁ ରହିବ; ପୁଣି, ତୁମ୍ଭ ବଂଶଜାତ ସମସ୍ତେ ଯୌବନାବସ୍ଥାରେ ମରିବେ।