24ପୁଣି, ତାଙ୍କ ଚରଣରେ ପଡ଼ି କହିଲା, “ହେ ମୋହର ପ୍ରଭୋ, ମୋʼ ଉପରେ, ମୋହର ଉପରେ ହିଁ ସେହି ଅପରାଧ ବର୍ତ୍ତୁ; ଆପଣା ଦାସୀକୁ ଆପଣଙ୍କ କର୍ଣ୍ଣଗୋଚରରେ କହିବାକୁ ଦେଉନ୍ତୁ ଓ ଆପଣା ଦାସୀର କଥା ଆପଣ ଶୁଣନ୍ତୁ।
25ବିନୟ କରୁଅଛି, ମୋହର ପ୍ରଭୋ, ସେହି ଦୁଷ୍ଟ ମନୁଷ୍ୟ ନାବଲକୁ ମନରେ ନ କରନ୍ତୁ; କାରଣ ତାହାର ନାମ ଯେପରି, ସେ ସେପରି; ତାହାର ନାମ ନାବଲ ଓ ମୂଢ଼ତା ତାହାଠାରେ ଅଛି; ମାତ୍ର ଆପଣଙ୍କ ଏହି ଦାସୀ ମୋହର ପ୍ରଭୁଙ୍କ ପ୍ରେରିତ ଯୁବାମାନଙ୍କୁ ଦେଖି ନାହିଁ।
26ହେ ମୋହର ପ୍ରଭୋ, ସଦାପ୍ରଭୁ ତ ଆପଣଙ୍କୁ ରକ୍ତପାତ ଦୋଷରୁ ଓ ଆପଣଙ୍କ ନିଜ ହସ୍ତରେ ଆତ୍ମ-ପ୍ରତିକାର କରିବାରୁ ବାରଣ କଲେ, ଏହେତୁ ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ଆପଣ ଜୀବିତ ଥିବା ପ୍ରମାଣେ ଆପଣଙ୍କ ଶତ୍ରୁମାନେ ଓ ମୋର ପ୍ରଭୁଙ୍କ ଅମଙ୍ଗଳ ଅନ୍ୱେଷଣକାରୀମାନେ ନାବଲ ପରି ହେଉନ୍ତୁ।
27ଏଣୁ ଆପଣଙ୍କ ଦାସୀ ମୋର ପ୍ରଭୁଙ୍କ ନିକଟକୁ ଯେଉଁ ଭେଟି ଆଣିଅଛି, ତାହା ମୋର ପ୍ରଭୁଙ୍କ ଅନୁଗାମୀ ଯୁବାମାନଙ୍କୁ ଦିଆଯାଉ।
28ବିନୟ କରୁଅଛି, ଆପଣଙ୍କ ଦାସୀର ଅପରାଧ କ୍ଷମା କରନ୍ତୁ; ମୋର ପ୍ରଭୁ ସଦାପ୍ରଭୁଙ୍କ ପକ୍ଷରେ ଯୁଦ୍ଧ କରୁଅଛନ୍ତି, ଏଥିପାଇଁ ସଦାପ୍ରଭୁ ମୋର ପ୍ରଭୁଙ୍କ ଗୃହ ନିଶ୍ଚୟ ସୁସ୍ଥିର କରିବେ ଓ ଯାବଜ୍ଜୀବନ ଆପଣଙ୍କଠାରେ ମନ୍ଦତା ଦେଖା ନ ଯିବ।