9ଏଥିରେ ଦାଉଦ ଅବୀଶୟକୁ କହିଲେ, “ତାଙ୍କୁ ବିନାଶ କର ନାହିଁ, କାରଣ ସଦାପ୍ରଭୁଙ୍କ ଅଭିଷିକ୍ତଙ୍କର ପ୍ରତିକୂଳରେ କିଏ ହସ୍ତ ବିସ୍ତାର କରି ନିର୍ଦ୍ଦୋଷ ହୋଇପାରେ?”
10ଆହୁରି ଦାଉଦ କହିଲେ, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସଦାପ୍ରଭୁ ତାଙ୍କୁ ଆଘାତ କରିବେ; ଅବା ତାଙ୍କର ମରଣ ଦିନ ଉପସ୍ଥିତ ହେବ; କିଅବା ସେ ଯୁଦ୍ଧକୁ ଯାଇ ବିନଷ୍ଟ ହେବେ।
11ମୁଁ ଯେ ସଦାପ୍ରଭୁଙ୍କ ଅଭିଷିକ୍ତଙ୍କର ପ୍ରତିକୂଳରେ ହସ୍ତ ବିସ୍ତାର କରିବି, ଏହା ସଦାପ୍ରଭୁ ମୋʼ ଠାରୁ ଦୂର କରନ୍ତୁ; ମାତ୍ର ତୁମ୍ଭେ ତାଙ୍କ ମସ୍ତକ ପାଖରୁ ବର୍ଚ୍ଛା ଓ ଜଳପାତ୍ର ନେଇଆସ, ଆମ୍ଭେମାନେ ଯିବା।”
12ତହୁଁ ଦାଉଦ ଶାଉଲଙ୍କର ମସ୍ତକ ପାଖରୁ ବର୍ଚ୍ଛା ଓ ଜଳପାତ୍ର ନେଲେ ଓ ସେମାନେ ବାହାରିଗଲେ, ମାତ୍ର ସମସ୍ତେ ନିଦ୍ରିତ ଥିବାରୁ କେହି ତାହା ଦେଖିଲା ନାହିଁ, କି ଜାଣିଲା ନାହିଁ, କି କେହି ଜାଗିଲା ନାହିଁ; କାରଣ ସମସ୍ତେ ନିଦ୍ରିତ ଥିଲେ; ଯେହେତୁ ସଦାପ୍ରଭୁ ସେମାନଙ୍କୁ ଘୋର ନିଦ୍ରାଗ୍ରସ୍ତ କରିଥିଲେ।
13ଏଉତ୍ତାରେ ଦାଉଦ ସେପାଖକୁ ଯାଇ ଦୂର ପର୍ବତ ଶିଖରରେ ଠିଆ ହେଲେ; ସେମାନଙ୍କ ମଧ୍ୟରେ ବହୁତ ସ୍ଥାନ ଅନ୍ତର ଥିଲା।