11ମୁଁ ଯେ ସଦାପ୍ରଭୁଙ୍କ ଅଭିଷିକ୍ତଙ୍କର ପ୍ରତିକୂଳରେ ହସ୍ତ ବିସ୍ତାର କରିବି, ଏହା ସଦାପ୍ରଭୁ ମୋʼ ଠାରୁ ଦୂର କରନ୍ତୁ; ମାତ୍ର ତୁମ୍ଭେ ତାଙ୍କ ମସ୍ତକ ପାଖରୁ ବର୍ଚ୍ଛା ଓ ଜଳପାତ୍ର ନେଇଆସ, ଆମ୍ଭେମାନେ ଯିବା।”
12ତହୁଁ ଦାଉଦ ଶାଉଲଙ୍କର ମସ୍ତକ ପାଖରୁ ବର୍ଚ୍ଛା ଓ ଜଳପାତ୍ର ନେଲେ ଓ ସେମାନେ ବାହାରିଗଲେ, ମାତ୍ର ସମସ୍ତେ ନିଦ୍ରିତ ଥିବାରୁ କେହି ତାହା ଦେଖିଲା ନାହିଁ, କି ଜାଣିଲା ନାହିଁ, କି କେହି ଜାଗିଲା ନାହିଁ; କାରଣ ସମସ୍ତେ ନିଦ୍ରିତ ଥିଲେ; ଯେହେତୁ ସଦାପ୍ରଭୁ ସେମାନଙ୍କୁ ଘୋର ନିଦ୍ରାଗ୍ରସ୍ତ କରିଥିଲେ।
13ଏଉତ୍ତାରେ ଦାଉଦ ସେପାଖକୁ ଯାଇ ଦୂର ପର୍ବତ ଶିଖରରେ ଠିଆ ହେଲେ; ସେମାନଙ୍କ ମଧ୍ୟରେ ବହୁତ ସ୍ଥାନ ଅନ୍ତର ଥିଲା।
14ଆଉ ଦାଉଦ ଲୋକମାନଙ୍କୁ ଓ ନେର୍ର ପୁତ୍ର ଅବ୍ନରକୁ ଡାକି କହିଲେ, “ହେ ଅବ୍ନର, ତୁମ୍ଭେ କʼଣ ଉତ୍ତର ଦେବ ନାହିଁ?” ତେବେ ଅବ୍ନର ଉତ୍ତର ଦେଇ କହିଲା, “ରାଜାଙ୍କୁ ଡାକ ପକାଇବା ଲୋକ ତୁମ୍ଭେ କିଏ?”
15ଏଥିରେ ଦାଉଦ ଅବ୍ନରକୁ କହିଲେ, “ତୁମ୍ଭେ କି ଜଣେ ପୁରୁଷ ନୁହଁ? ଇସ୍ରାଏଲ ମଧ୍ୟରେ ତୁମ୍ଭ ପରି କିଏ ଅଛି? ତେବେ ତୁମ୍ଭେ କାହିଁକି ଆପଣା ପ୍ରଭୁ ରାଜାଙ୍କୁ ଜଗି ରହିଲ ନାହିଁ? କାରଣ ତୁମ୍ଭ ପ୍ରଭୁ ରାଜାଙ୍କୁ ବିନାଶ କରିବା ପାଇଁ ଲୋକମାନଙ୍କ ମଧ୍ୟରୁ ଜଣେ ଆସିଥିଲା।