17ଏହେତୁ ଦାଉଦ ଗୋଧୂଳି ସମୟାବଧି ପରଦିନ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କୁ ଆଘାତ କଲେ; ଆଉ ଯେଉଁ ଚାରି ଶହ ଯୁବା ଲୋକ ଓଟ ଚଢ଼ି ପଳାଇଲେ, ସେମାନଙ୍କ ଛଡ଼ା ସେହି ଲୋକମାନଙ୍କ ମଧ୍ୟରୁ; ଜଣେ ଅବଶିଷ୍ଟ ରହିଲା ନାହିଁ।
18ପୁଣି, ଅମାଲେକୀୟମାନେ ଯାହା କିଛି ନେଇ ଯାଇଥିଲେ, ଦାଉଦ ସେସମସ୍ତ ଉଦ୍ଧାର କଲେ; ମଧ୍ୟ ଦାଉଦ ଆପଣାର ଦୁଇ ଭାର୍ଯ୍ୟାଙ୍କୁ ମୁକ୍ତ କଲେ।
19ପୁଣି, ସେମାନଙ୍କର ସାନ କି ବଡ଼, ପୁତ୍ର କି କନ୍ୟା, ଲୁଟଦ୍ରବ୍ୟ କି ଯାହା କିଛି ଅମାଲେକୀୟମାନେ ନେଇଥିଲେ, ତହିଁରୁ କିଛି ଊଣା ହେଲା ନାହିଁ; ଦାଉଦ ସବୁ ଫେରି ପାଇଲେ।
20ଆଉ ସେମାନେ ନିଜ ପଶୁପଲ ଆଗେ ଆଗେ ଯେଉଁ ଅନ୍ୟ ଗୋମେଷାଦି ପଲ ଅଡ଼ାଇ ନେଉଥିଲେ, ଦାଉଦ ସେସବୁ ନେଲେ, ପୁଣି, ଲୋକମାନେ କହିଲେ, ଏ ଦାଉଦଙ୍କ ଲୁଟଦ୍ରବ୍ୟ।
21ଏଉତ୍ତାରେ ଅତି କ୍ଳାନ୍ତ ହୋଇ ଦାଉଦଙ୍କର ପଛେ ପଛେ ଯାଇ ନ ପାରିବାରୁ ଯେଉଁ ଦୁଇ ଶହ ଲୋକଙ୍କୁ ସେମାନେ ବିଷୋର ନଦୀ ନିକଟରେ ରଖି ଯାଇଥିଲେ, ଦାଉଦ ସେମାନଙ୍କ ନିକଟକୁ ଗଲେ; ତହୁଁ ସେମାନେ ଦାଉଦଙ୍କୁ ଭେଟିବାକୁ ଓ ତାଙ୍କ ସଙ୍ଗୀ ଲୋକମାନଙ୍କୁ ଭେଟିବାକୁ ବାହାରିଲେ; ପୁଣି, ଦାଉଦ ଲୋକମାନଙ୍କ ନିକଟବର୍ତ୍ତୀ ହୋଇ ସେମାନଙ୍କୁ କୁଶଳବାର୍ତ୍ତା ପଚାରିଲେ।