18ପୁଣି, ଅମାଲେକୀୟମାନେ ଯାହା କିଛି ନେଇ ଯାଇଥିଲେ, ଦାଉଦ ସେସମସ୍ତ ଉଦ୍ଧାର କଲେ; ମଧ୍ୟ ଦାଉଦ ଆପଣାର ଦୁଇ ଭାର୍ଯ୍ୟାଙ୍କୁ ମୁକ୍ତ କଲେ।
19ପୁଣି, ସେମାନଙ୍କର ସାନ କି ବଡ଼, ପୁତ୍ର କି କନ୍ୟା, ଲୁଟଦ୍ରବ୍ୟ କି ଯାହା କିଛି ଅମାଲେକୀୟମାନେ ନେଇଥିଲେ, ତହିଁରୁ କିଛି ଊଣା ହେଲା ନାହିଁ; ଦାଉଦ ସବୁ ଫେରି ପାଇଲେ।
20ଆଉ ସେମାନେ ନିଜ ପଶୁପଲ ଆଗେ ଆଗେ ଯେଉଁ ଅନ୍ୟ ଗୋମେଷାଦି ପଲ ଅଡ଼ାଇ ନେଉଥିଲେ, ଦାଉଦ ସେସବୁ ନେଲେ, ପୁଣି, ଲୋକମାନେ କହିଲେ, ଏ ଦାଉଦଙ୍କ ଲୁଟଦ୍ରବ୍ୟ।
21ଏଉତ୍ତାରେ ଅତି କ୍ଳାନ୍ତ ହୋଇ ଦାଉଦଙ୍କର ପଛେ ପଛେ ଯାଇ ନ ପାରିବାରୁ ଯେଉଁ ଦୁଇ ଶହ ଲୋକଙ୍କୁ ସେମାନେ ବିଷୋର ନଦୀ ନିକଟରେ ରଖି ଯାଇଥିଲେ, ଦାଉଦ ସେମାନଙ୍କ ନିକଟକୁ ଗଲେ; ତହୁଁ ସେମାନେ ଦାଉଦଙ୍କୁ ଭେଟିବାକୁ ଓ ତାଙ୍କ ସଙ୍ଗୀ ଲୋକମାନଙ୍କୁ ଭେଟିବାକୁ ବାହାରିଲେ; ପୁଣି, ଦାଉଦ ଲୋକମାନଙ୍କ ନିକଟବର୍ତ୍ତୀ ହୋଇ ସେମାନଙ୍କୁ କୁଶଳବାର୍ତ୍ତା ପଚାରିଲେ।
22ସେତେବେଳେ ଦାଉଦଙ୍କ ସଙ୍ଗରେ ଯେଉଁମାନେ ଯାଇଥିଲେ, ସେମାନଙ୍କ ମଧ୍ୟରୁ ଦୁଷ୍ଟ ଓ ପାପାଧମ ମନୁଷ୍ୟ ସମସ୍ତେ ଉତ୍ତର ଦେଇ କହିଲେ, “ସେମାନେ ଆମ୍ଭ ସଙ୍ଗରେ ଗଲେ ନାହିଁ, ଏଥିପାଇଁ ଆମ୍ଭେମାନେ ପ୍ରାପ୍ତ ଲୁଟଦ୍ରବ୍ୟରୁ ସେମାନଙ୍କୁ କିଛି ଦେବୁ ନାହିଁ, କେବଳ ସେମାନଙ୍କର ପ୍ରତ୍ୟେକ ଲୋକକୁ ତାହାର ଭାର୍ଯ୍ୟା ଓ ସନ୍ତାନସନ୍ତତି ଦେବୁ, ସେମାନେ ତାଙ୍କୁ ନେଇ ଚାଲିଯାଆନ୍ତୁ।”