10ବିଶ୍ୱାସୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ପ୍ରତି ଆମ୍ଭେମାନେ କିପରି ପବିତ୍ର, ଧାର୍ମିକ ଓ ଅନିନ୍ଦନୀୟ ବ୍ୟବହାର କରିଥିଲୁ, ସେଥିର ତୁମ୍ଭେମାନେ ସାକ୍ଷୀ, ପୁଣି, ଈଶ୍ବର ମଧ୍ୟ ସାକ୍ଷୀ।
11ଆଉ ତୁମ୍ଭେମାନେ ତ ଜାଣ, ପିତା ଯେପ୍ରକାରେ ଆପଣା ସନ୍ତାନମାନଙ୍କୁ ଶିକ୍ଷା ଦିଅନ୍ତି, ସେହି ପ୍ରକାରେ ଆମ୍ଭେମାନେ ତୁମ୍ଭ ପ୍ରତ୍ୟେକ ଜଣକୁ ଉପଦେଶ ଓ ଉତ୍ସାହ ଦେଇ ଏକାନ୍ତ ଅନୁରୋଧ କରିଥିଲୁ,
12ଯେପରି ତୁମ୍ଭମାନଙ୍କ ଆହ୍ୱାନକାରୀ ଈଶ୍ବରଙ୍କ ଯୋଗ୍ୟ ଆଚରଣ କରି, ତାହାଙ୍କ ରାଜ୍ୟ ଓ ଗୌରବର ଅଂଶୀ ହୋଇପାର।
13ଆଉ, ଏହି କାରଣରୁ ଆମ୍ଭେମାନେ ମଧ୍ୟ ନିରନ୍ତର ଈଶ୍ବରଙ୍କ ଧନ୍ୟବାଦ କରୁଅଛୁ ଯେ, ଯେତେବେଳେ ତୁମ୍ଭେମାନେ ଆମ୍ଭମାନଙ୍କ ଦ୍ୱାରା ପ୍ରଚାରିତ ଈଶ୍ବରଙ୍କ ବାକ୍ୟ ଗ୍ରହଣ କଲ, ସେତେବେଳେ ସେହି ବାକ୍ୟକୁ ମନୁଷ୍ୟର ବାକ୍ୟ ରୂପେ ଗ୍ରହଣ ନ କରି ବରଂ ଈଶ୍ବରଙ୍କ ବାକ୍ୟ ସ୍ୱରୂପେ ଗ୍ରହଣ କରିଥିଲ, ଆଉ ବାସ୍ତବରେ ତାହା ଈଶ୍ବରଙ୍କ ବାକ୍ୟ ଅଟେ, ପୁଣି, ବିଶ୍ୱାସୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ଅନ୍ତରରେ ତାହା ମଧ୍ୟ କାର୍ଯ୍ୟ ସାଧନ କରୁଅଛି।
14କାରଣ, ହେ ଭାଇମାନେ, ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ଯିହୂଦିୟା ପ୍ରଦେଶସ୍ଥ ଈଶ୍ବରଙ୍କ ମଣ୍ଡଳୀ-ସମୂହର ଅନୁକାରୀ ହୋଇଅଛ, ଯେଣୁ ସେମାନେ ଯିହୁଦୀମାନଙ୍କ ଦ୍ୱାରା ଯେଉଁ ଦୁଃଖଭୋଗ କରିଥିଲେ, ତୁମ୍ଭେମାନେ ମଧ୍ୟ ସ୍ୱଜାତୀୟମାନଙ୍କ ଦ୍ୱାରା ସେହିସବୁ ଦୁଃଖଭୋଗ କରୁଅଛ।