5ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଯେ ଲବଣର ନିୟମ ଦ୍ୱାର ଇସ୍ରାଏଲର ରାଜତ୍ୱ ଚିରକାଳ ନିମନ୍ତେ ଦାଉଦଙ୍କୁ, ଅର୍ଥାତ୍, ତାଙ୍କୁ ଓ ତାଙ୍କ ସନ୍ତାନଗଣକୁ ଦେଇଅଛନ୍ତି, ଏହା କʼଣ ତୁମ୍ଭମାନଙ୍କର ଜାଣିବା ଉଚିତ ନୁହେଁ?
6ତଥାପି ଦାଉଦଙ୍କର ପୁତ୍ର ଶଲୋମନଙ୍କ ଦାସ ଯେ ନବାଟର ପୁତ୍ର ଯାରବୀୟାମ, ସେ ଉଠି ଆପଣା ପ୍ରଭୁର ବିଦ୍ରୋହୀ ହୋଇଅଛି।
7ପୁଣି ଦୁଷ୍ଟ ଓ ଅସାର ଲୋକମାନେ ତାହା ପକ୍ଷରେ ଏକତ୍ର ହୋଇ ଶଲୋମନଙ୍କର ପୁତ୍ର, ରିହବୀୟାମଙ୍କ ପ୍ରତିକୂଳରେ ଆପଣମାନଙ୍କୁ ବଳିଷ୍ଠ କଲେ; ସେହି ସମୟରେ ରିହବୀୟାମ ଯୁବା ଓ କୋମଳାନ୍ତଃକରଣ ଥିଲେ ଓ ସେମାନଙ୍କର ପ୍ରତିବାଧା କରି ପାରିଲେ ନାହିଁ।
8ଆଉ, ଏବେ ତୁମ୍ଭେମାନେ ଦାଉଦ-ସନ୍ତାନଗଣର ହସ୍ତାଧୀନ ସଦାପ୍ରଭୁଙ୍କ ରାଜ୍ୟର ପ୍ରତିବାଧା କରିବାକୁ ମାନସ କରୁଅଛ; ପୁଣି ତୁମ୍ଭେମାନେ ଲୋକସମୂହ ଓ ତୁମ୍ଭମାନଙ୍କର ଦେବତା ହେବା ପାଇଁ ଯାରବୀୟାମ ନିର୍ମିତ ସ୍ୱର୍ଣ୍ଣମୟ ଗୋବତ୍ସ ତୁମ୍ଭମାନଙ୍କ ସଙ୍ଗେ ଅଛି।
9ତୁମ୍ଭେମାନେ କି ସଦାପ୍ରଭୁଙ୍କ ଯାଜକ ହାରୋଣଙ୍କର ସନ୍ତାନଗଣକୁ ଓ ଲେବୀୟମାନଙ୍କୁ ତଡ଼ିଦେଇ ଅନ୍ୟ ଦେଶସ୍ଥ ଗୋଷ୍ଠୀମାନଙ୍କ ରୀତି ଅନୁସାରେ ଆପଣମାନଙ୍କ ପାଇଁ ଯାଜକ ନିଯୁକ୍ତ କରି ନାହଁ? ଏଣୁ ଯେକେହି ଆପଣାର ପଦନିଯୋଗାର୍ଥେ ଏକ ଗୋବତ୍ସ ଓ ସାତ ମେଷ ନେଇ ଆସେ, ସେ ଏହି ଅନୀଶ୍ୱରମାନଙ୍କର ଯାଜକ ହୋଇପାରେ।