29ପୁଣି, ଇସ୍ରାଏଲର ରାଜା ଯିହୋଶାଫଟ୍ଙ୍କୁ କହିଲେ, “ମୁଁ ଛଦ୍ମବେଶ ଧରି ଯୁଦ୍ଧକୁ ଯିବି; ମାତ୍ର ତୁମ୍ଭେ ଆପଣା ରାଜବସ୍ତ୍ର ପିନ୍ଧ।” ତହୁଁ ଇସ୍ରାଏଲର ରାଜା ଛଦ୍ମବେଶ ଧରିଲେ ଓ ସେମାନେ ଯୁଦ୍ଧକୁ ଗଲେ।
30ମାତ୍ର ଅରାମର ରାଜା ଆପଣାର ରଥାଧ୍ୟକ୍ଷମାନଙ୍କୁ ଆଜ୍ଞା କରି କହିଥିଲା, “ତୁମ୍ଭେମାନେ କେବଳ ଇସ୍ରାଏଲର ରାଜା ଛଡ଼ା ସାନ କି ବଡ଼ କାହା ସଙ୍ଗେ ଯୁଦ୍ଧ ନ କର।”
31ଏଣୁ ରଥାଧ୍ୟକ୍ଷମାନେ ଯିହୋଶାଫଟ୍ଙ୍କୁ ଦେଖି କହିଲେ, “ଏ ଇସ୍ରାଏଲର ରାଜା।” ତେଣୁ ସେମାନେ ତାଙ୍କ ସଙ୍ଗେ ଯୁଦ୍ଧ କରିବା ପାଇଁ ତାଙ୍କ ଆଡ଼କୁ ଫେରିଲେ; ମାତ୍ର ଯିହୋଶାଫଟ୍ ଡାକ ପକାଇଲେ ଓ ସଦାପ୍ରଭୁ ତାଙ୍କର ସାହାଯ୍ୟ କଲେ; ଆଉ ପରମେଶ୍ୱର ସେମାନଙ୍କୁ ତାଙ୍କ ନିକଟରୁ ଫେରିଯିବା ପାଇଁ ପ୍ରବର୍ତ୍ତାଇଲେ।
32ତହୁଁ ସେ ଇସ୍ରାଏଲର ରାଜା ନୁହନ୍ତି ବୋଲି ରଥାଧ୍ୟକ୍ଷମାନେ ଦେଖି ତାଙ୍କୁ ଗୋଡ଼ାଇବାରୁ କ୍ଷାନ୍ତ ହେଲେ।
33ଏପରି ସମୟରେ ଜଣେ ସନ୍ଧାନ ବିନା ଧନୁର୍ଗୁଣ ଟାଣି ସାଞ୍ଜୁଆର ଯୋଡ଼ ମଧ୍ୟରେ ଇସ୍ରାଏଲ-ରାଜାଙ୍କୁ ଆଘାତ କଲା; ତେଣୁ ସେ ଆପଣା ସାରଥିକୁ କହିଲେ, “ତୁମ୍ଭେ ଆପଣା ହାତ ଫେରାଇ ସୈନ୍ୟ ମଧ୍ୟରୁ ମୋତେ ନେଇଯାଅ; କାରଣ ମୁଁ ଅତିଶୟ ଆଘାତ ପାଇଲି।”