3ଆଉ ଶଲୋମନ ସୋରର ରାଜା ହୂରମ୍ ନିକଟକୁ ଲୋକ ପଠାଇ କହିଲେ, “ଆପଣ ମୋʼ ପିତା ଦାଉଦଙ୍କ ପ୍ରତି ଯେପରି ବ୍ୟବହାର କରିଥିଲେ ଓ ତାଙ୍କ ବସତି-ଗୃହର ନିର୍ମାଣ ନିମନ୍ତେ ଏରସ କାଷ୍ଠ ପଠାଇଥିଲେ, ସେହିପରି ମୋʼ ପ୍ରତି ବ୍ୟବହାର କରନ୍ତୁ।
4ଦେଖନ୍ତୁ, ମୁଁ ସଦାପ୍ରଭୁ ମୋʼ ପରମେଶ୍ୱରଙ୍କ ନାମ ନିମନ୍ତେ ଗୋଟିଏ ଗୃହ ନିର୍ମାଣ କରିବାକୁ ଉଦ୍ୟତ ଅଛି, ତାହାଙ୍କ ସମ୍ମୁଖରେ ସୁଗନ୍ଧି ଧୂପ ଜ୍ୱଳାଇବା ପାଇଁ ଓ ନିତ୍ୟ ଦର୍ଶନୀୟ ରୁଟି ପାଇଁ, ପ୍ରତି ପ୍ରଭାତରେ ଓ ସନ୍ଧ୍ୟାରେ, ବିଶ୍ରାମବାରରେ ଓ ଅମାବାସ୍ୟାରେ ଓ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିରୂପିତ ପର୍ବସବୁରେ ହୋମବଳି ନିମନ୍ତେ ତାହା ମୁଁ ପ୍ରତିଷ୍ଠା କରିବି। ଏହା ଇସ୍ରାଏଲ ପ୍ରତି ନିତ୍ୟ ଏକ ବିଧି ଅଟେ।
5ଆଉ ମୁଁ ଯେଉଁ ଗୃହ ନିର୍ମାଣ କରିବି, ତାହା ବୃହତ ହେବ; କାରଣ ସମସ୍ତ ଦେବତାଠାରୁ ଆମ୍ଭମାନଙ୍କ ପରମେଶ୍ୱର ମହାନ ଅଟନ୍ତି।
6ମାତ୍ର ତାହାଙ୍କ ନିମନ୍ତେ ଗୃହ ନିର୍ମାଣ କରିବାକୁ କିଏ ସମର୍ଥ? ଯେହେତୁ ସ୍ୱର୍ଗ ଓ ସ୍ୱର୍ଗର ସ୍ୱର୍ଗ ହିଁ ତାହାଙ୍କୁ ଧାରଣ କରି ନ ପାରେ; ତେବେ ମୁଁ କିଏ ଯେ, ତାହାଙ୍କ ପାଇଁ ଗୃହ ନିର୍ମାଣ କରିବି? କେବଳ ତାହାଙ୍କ ସମ୍ମୁଖରେ ଧୂପ ଜ୍ୱଳାଇବା ପାଇଁ ତାହା କରିବି।
7ଏହେତୁ ମୋʼ ପିତା ଦାଉଦଙ୍କ ଦ୍ୱାରା ନିଯୁକ୍ତ ଯେଉଁ ନିପୁଣ ଲୋକମାନେ ଯିହୁଦାରେ ଓ ଯିରୂଶାଲମରେ ମୋʼ ନିକଟରେ ଅଛନ୍ତି, ସେମାନଙ୍କ ସଙ୍ଗେ ସୁନା, ରୂପା, ପିତ୍ତଳ, ଲୁହା, ଧୂମ୍ର, ସିନ୍ଦୂର ଓ ନୀଳ ସୂତ୍ରର କର୍ମରେ ଓ ସର୍ବପ୍ରକାର ଖୋଦନ-କର୍ମରେ ନିପୁଣ ଏକ ଲୋକକୁ ମୋʼ ନିକଟକୁ ପଠାଉନ୍ତୁ।