23କାରଣ ଅମ୍ମୋନର ଓ ମୋୟାବର ସନ୍ତାନଗଣ ସେୟୀର ପର୍ବତ ନିବାସୀମାନଙ୍କୁ ନିଃଶେଷ ରୂପେ ବଧ ଓ ବିନାଶ କରିବାକୁ ସେମାନଙ୍କ ପ୍ରତିକୂଳରେ ଉଠିଲେ; ଆଉ ସେମାନେ ସେୟୀର ନିବାସୀମାନଙ୍କୁ ଉଚ୍ଛିନ୍ନ କଲା ଉତ୍ତାରେ ପ୍ରତି ଜଣ ଏକ ଆରେକକୁ ବିନାଶ କରିବା ପାଇଁ ସାହାଯ୍ୟ କଲେ।
24ଏଥିଉତ୍ତାରେ ଯିହୁଦାର ଲୋକମାନେ ପ୍ରାନ୍ତରସ୍ଥ ପ୍ରହରୀ-ଦୁର୍ଗରେ ଉପସ୍ଥିତ ହୋଇ ଲୋକଗହଳ ପ୍ରତି ଅନାଇଲେ ଆଉ ଦେଖ, ସେମାନେ ମୃତ ଶରୀର ହୋଇ ଭୂମିରେ ପଡ଼ିଅଛନ୍ତି, ପୁଣି କେହି ବଞ୍ଚି ନାହାନ୍ତି।
25ତହିଁରେ ଯିହୋଶାଫଟ୍ ଓ ତାଙ୍କର ଲୋକମାନେ ସେମାନଙ୍କଠାରୁ ଲୁଟଦ୍ରବ୍ୟ ନେବା ପାଇଁ ଆସନ୍ତେ, ସେମାନଙ୍କ ମଧ୍ୟରେ ବିସ୍ତର ସମ୍ପତ୍ତି ଓ ଶବ ଓ ବହୁମୂଲ୍ୟ ରତ୍ନ ଦେଖିଲେ, ତାହାସବୁ ସେମାନେ ଆପଣାମାନଙ୍କ ପାଇଁ କାଢ଼ି ନେଲେ, ତାହା ସେମାନଙ୍କର ବୋହି ନେଇ ପାରିବା ଅପେକ୍ଷା ଅଧିକ ଥିଲା; ସେହି ଲୁଟଦ୍ରବ୍ୟ ଏତେ ଅଧିକ ଥିଲା ଯେ, ତାହା ବହି ନେବା ପାଇଁ ସେମାନଙ୍କୁ ତିନି ଦିନ ଲାଗିଲା।
26ତହୁଁ ଚତୁର୍ଥ ଦିନ ସେମାନେ ବରାଖା-ଉପତ୍ୟକାରେ ଏକତ୍ରିତ ହେଲେ; କାରଣ ସେଠାରେ ସେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କଲେ; ଏହେତୁ ଆଜି ପର୍ଯ୍ୟନ୍ତ ସେହି ସ୍ଥାନର ନାମ ବରାଖା-ଉପତ୍ୟକା ହୋଇଅଛି।
27ଏଉତ୍ତାରେ ଯିହୁଦା ଓ ଯିରୂଶାଲମର ପ୍ରତ୍ୟେକ ଲୋକ ଓ ସେମାନଙ୍କ ଅଗ୍ରଗାମୀ ଯିହୋଶାଫଟ୍ ଆନନ୍ଦରେ ପୁନର୍ବାର ଯିରୂଶାଲମକୁ ଯିବା ପାଇଁ ଫେରିଲେ; କାରଣ ସଦାପ୍ରଭୁ ସେମାନଙ୍କ ଶତ୍ରୁଗଣ ଉପରେ ସେମାନଙ୍କୁ ଆନନ୍ଦିତ କରିଥିଲେ।