21ପୁଣି ସେ ଲୋକମାନଙ୍କ ସହିତ ପରାମର୍ଶ କଲା ଉତ୍ତାରେ ସୈନ୍ୟଶ୍ରେଣୀର ଆଗେ ଆଗେ ସେମାନଙ୍କ ଗମନ କାଳେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବାକୁ ଓ ଧର୍ମସୌନ୍ଦର୍ଯ୍ୟର ପ୍ରଶଂସା କରିବାକୁ, ପୁଣି “ସଦାପ୍ରଭୁଙ୍କର ଧନ୍ୟବାଦ କର, ଯେହେତୁ ତାହାଙ୍କର କରୁଣା ସଦାକାଳସ୍ଥାୟୀ ବୋଲି କହିବାକୁ ଲୋକ ନିଯୁକ୍ତ କଲେ।”
22ଆଉ, ସେମାନେ ଗାୟନ ଓ ପ୍ରଶଂସା କରିବାକୁ ଆରମ୍ଭ କରନ୍ତେ, ଯିହୁଦାର ପ୍ରତିକୂଳରେ ଆଗତ ଅମ୍ମୋନର ଓ ମୋୟାବର ଓ ସେୟୀର-ପାର୍ବତୀୟ ସନ୍ତାନଗଣ ବିରୁଦ୍ଧରେ ଗୁପ୍ତରେ ଛକି ବସିବା ପାଇଁ ସଦାପ୍ରଭୁ ଲୋକ ନିଯୁକ୍ତ କଲେ; ତହିଁରେ ସେମାନେ ପରାସ୍ତ ହେଲେ।
23କାରଣ ଅମ୍ମୋନର ଓ ମୋୟାବର ସନ୍ତାନଗଣ ସେୟୀର ପର୍ବତ ନିବାସୀମାନଙ୍କୁ ନିଃଶେଷ ରୂପେ ବଧ ଓ ବିନାଶ କରିବାକୁ ସେମାନଙ୍କ ପ୍ରତିକୂଳରେ ଉଠିଲେ; ଆଉ ସେମାନେ ସେୟୀର ନିବାସୀମାନଙ୍କୁ ଉଚ୍ଛିନ୍ନ କଲା ଉତ୍ତାରେ ପ୍ରତି ଜଣ ଏକ ଆରେକକୁ ବିନାଶ କରିବା ପାଇଁ ସାହାଯ୍ୟ କଲେ।
24ଏଥିଉତ୍ତାରେ ଯିହୁଦାର ଲୋକମାନେ ପ୍ରାନ୍ତରସ୍ଥ ପ୍ରହରୀ-ଦୁର୍ଗରେ ଉପସ୍ଥିତ ହୋଇ ଲୋକଗହଳ ପ୍ରତି ଅନାଇଲେ ଆଉ ଦେଖ, ସେମାନେ ମୃତ ଶରୀର ହୋଇ ଭୂମିରେ ପଡ଼ିଅଛନ୍ତି, ପୁଣି କେହି ବଞ୍ଚି ନାହାନ୍ତି।
25ତହିଁରେ ଯିହୋଶାଫଟ୍ ଓ ତାଙ୍କର ଲୋକମାନେ ସେମାନଙ୍କଠାରୁ ଲୁଟଦ୍ରବ୍ୟ ନେବା ପାଇଁ ଆସନ୍ତେ, ସେମାନଙ୍କ ମଧ୍ୟରେ ବିସ୍ତର ସମ୍ପତ୍ତି ଓ ଶବ ଓ ବହୁମୂଲ୍ୟ ରତ୍ନ ଦେଖିଲେ, ତାହାସବୁ ସେମାନେ ଆପଣାମାନଙ୍କ ପାଇଁ କାଢ଼ି ନେଲେ, ତାହା ସେମାନଙ୍କର ବୋହି ନେଇ ପାରିବା ଅପେକ୍ଷା ଅଧିକ ଥିଲା; ସେହି ଲୁଟଦ୍ରବ୍ୟ ଏତେ ଅଧିକ ଥିଲା ଯେ, ତାହା ବହି ନେବା ପାଇଁ ସେମାନଙ୍କୁ ତିନି ଦିନ ଲାଗିଲା।