7ଅହସୀୟ ଯୋରାମ୍ଙ୍କ ନିକଟକୁ ଯିବା ସକାଶୁ ପରମେଶ୍ୱରଙ୍କ ଆଡ଼ୁ ତାଙ୍କର ବିନାଶ ଘଟିଲା; କାରଣ ଆହାବ ବଂଶକୁ ଉଚ୍ଛିନ୍ନ କରିବା ପାଇଁ ସଦାପ୍ରଭୁ ନିମ୍ଶିର ପୁତ୍ର ଯେଉଁ ଯେହୂଙ୍କୁ ଅଭିଷିକ୍ତ କରିଥିଲେ, ତାଙ୍କର ପ୍ରତିକୂଳରେ ସେ ଆସି ଯୋରାମ୍ଙ୍କ ସଙ୍ଗେ ଗଲେ।
8ତହିଁରେ ଯେହୂ ଆହାବ-ବଂଶ ଉପରେ ଦଣ୍ଡାଜ୍ଞା ସଫଳ କରିବା ବେଳେ ସେ ଯିହୁଦାର ଅଧିପତିମାନଙ୍କୁ ଓ ଅହସୀୟଙ୍କର ପରିଚର୍ଯ୍ୟାକାରୀ ଅହସୀୟଙ୍କର ଭ୍ରାତୃପୁତ୍ରଗଣକୁ ପାଇ ବଧ କଲେ।
9ଏସମୟରେ ଅହସୀୟ ଶମରୀୟାରେ ଲୁଚିଥିଲେ, ତହିଁରେ ଯେହୂ ତାଙ୍କର ଅନ୍ୱେଷଣ କରନ୍ତେ, ଲୋକମାନେ ତାଙ୍କୁ ଧରି ଯେହୂଙ୍କ ନିକଟକୁ ଆଣି ତାଙ୍କୁ ବଧ କଲେ; ପୁଣି ଲୋକମାନେ ତାଙ୍କୁ କବର ଦେଲେ, କାରଣ ସେମାନେ କହିଲେ, “ଯେଉଁ ଯିହୋଶାଫଟ୍ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କର ଅନ୍ୱେଷଣ କଲେ, ଏ ତାଙ୍କର ସନ୍ତାନ।” ଏଉତ୍ତାରେ ଅହସୀୟଙ୍କ ବଂଶ ରାଜ୍ୟ ରଖିବାକୁ ସମର୍ଥ ହେଲେ ନାହିଁ।
10ଏଥିମଧ୍ୟରେ ଅହସୀୟଙ୍କର ମାତା ଅଥଲୀୟା ଆପଣା ପୁତ୍ରକୁ ମୃତ ଦେଖନ୍ତେ, ସେ ଉଠି ଯିହୁଦା-ଗୋଷ୍ଠୀର ସମସ୍ତ ରାଜବଂଶ ବିନାଶ କଲେ।
11ମାତ୍ର ରାଜାଙ୍କର କନ୍ୟା ଯିହୋଶାବତ୍ ଅହସୀୟଙ୍କର ପୁତ୍ର ଯୋୟାଶ୍ଙ୍କୁ ନେଇଗଲା ଓ ଯେଉଁ ରାଜପୁତ୍ରମାନେ ହତ ହେଲେ, ସେମାନଙ୍କ ମଧ୍ୟରୁ ତାଙ୍କୁ ଚୋରାଇ ନେଇ ତାଙ୍କୁ ଓ ତାଙ୍କର ଧାତ୍ରୀକୁ ଶୟନାଗାରରେ ରଖିଲା। ଏହିରୂପେ ଯିହୋୟାଦା ଯାଜକର ଭାର୍ଯ୍ୟା, ଯିହୋରାମ୍ ରାଜାଙ୍କର କନ୍ୟା, ଅହସୀୟଙ୍କର ଭଗିନୀ ଯିହୋଶାବତ୍, ଅଥଲୀୟାଙ୍କଠାରୁ ତାଙ୍କୁ ଲୁଚାଇଲା, ତେଣୁ ସେ ତାଙ୍କୁ ବଧ କରି ପାରିଲେ ନାହିଁ।