11ତହୁଁ ସେମାନେ ରାଜପୁତ୍ରଙ୍କୁ ବାହାରକୁ ଆଣି ତାଙ୍କ ମସ୍ତକରେ ମୁକୁଟ ପିନ୍ଧାଇ ଓ ସାକ୍ଷ୍ୟ ପୁସ୍ତକ ଦେଇ ତାଙ୍କୁ ରାଜା କଲେ; ପୁଣି ଯିହୋୟାଦା ଓ ତାହାର ପୁତ୍ରମାନେ ତାଙ୍କୁ ଅଭିଷେକ କଲେ; ତହୁଁ ସେମାନେ କହିଲେ, ରାଜା ଚିରଜୀବୀ ହେଉନ୍ତୁ।
12ଏଥିରେ ଅଥଲୀୟା ଲୋକମାନଙ୍କ ଦୌଡ଼ା ଦୌଡ଼ିର ଓ ରାଜାଙ୍କର ପ୍ରଶଂସା କରିବାର କୋଳାହଳ ଶୁଣି ସଦାପ୍ରଭୁଙ୍କ ଗୃହକୁ ଲୋକମାନଙ୍କ କତିକି ଆସିଲେ;
13ଆଉ, ସେ ଦୃଷ୍ଟିପାତ କରନ୍ତେ, ଦେଖ, ରାଜା ଦ୍ୱାର-ପ୍ରବେଶ ସ୍ଥାନରେ ଆପଣା ସ୍ତମ୍ଭ ନିକଟରେ ଠିଆ ହୋଇଅଛନ୍ତି ଓ ରାଜାଙ୍କ ନିକଟରେ ସେନାପତିମାନେ ଅଛନ୍ତି ଓ ତୂରୀ ଅଛି; ପୁଣି ଦେଶର ସମଗ୍ର ଲୋକ ଆନନ୍ଦ କରୁଅଛନ୍ତି ଓ ତୂରୀ ବଜାଉଅଛନ୍ତି; ମଧ୍ୟ ଗାୟକମାନେ ବାଦ୍ୟଯନ୍ତ୍ର ବଜାଇ ପ୍ରଶଂସା ଗାନ କରୁଅଛନ୍ତି। ଏଥିରେ ଅଥଲୀୟା ଆପଣା ବସ୍ତ୍ର ଚିରି ରାଜଦ୍ରୋହ, ରାଜଦ୍ରୋହ ବୋଲି ଡାକ ପକାଇଲେ।
14ତହିଁରେ ଯିହୋୟାଦା ଯାଜକ ସୈନ୍ୟ ଉପରେ ନିଯୁକ୍ତ ଶତପତିମାନଙ୍କୁ ବାହାରକୁ ଆଣି କହିଲା, “ସୈନ୍ୟଶ୍ରେଣୀ ମଧ୍ୟଦେଇ ଏହାକୁ ବାହାରକୁ ନେଇଯାଅ ଓ ଯେକେହି ତାହାର ପଶ୍ଚାଦ୍ଗାମୀ ହୁଏ, ସେ ଖଡ୍ଗରେ ହତ ହେଉ;” କାରଣ ଯାଜକ କହିଲା, “ସଦାପ୍ରଭୁଙ୍କ ଗୃହ ଭିତରେ ତାହାକୁ ବଧ କର ନାହିଁ।”
15ତହୁଁ ଲୋକମାନେ ତାଙ୍କ ପାଇଁ ପଥ ଛାଡ଼ନ୍ତେ, ସେ ରାଜଗୃହର ଅଶ୍ୱଦ୍ୱାରର ପ୍ରବେଶ ସ୍ଥାନକୁ ଗଲେ; ଆଉ ସେଠାରେ ସେମାନେ ତାଙ୍କୁ ବଧ କଲେ।