9ଆଉ, ପରମେଶ୍ୱରଙ୍କ ସେବକ ମୋଶା ପ୍ରାନ୍ତରରେ ଇସ୍ରାଏଲ ଉପରେ ଯେଉଁ କର ବସାଇଥିଲେ, ତାହା ସଦାପ୍ରଭୁଙ୍କ ନିମନ୍ତେ ଆଣିବା ପାଇଁ ସେମାନେ ଯିହୁଦା ଓ ଯିରୂଶାଲମରେ ଘୋଷଣା କରାଇଲେ।
10ଏଥିରେ ଅଧିପତି ସମସ୍ତେ ଓ ସମଗ୍ର ଲୋକ ଆନନ୍ଦ କଲେ ଓ ସେମାନେ ସମାପ୍ତ ନ କରିବା ପର୍ଯ୍ୟନ୍ତ ଆଣି ସିନ୍ଦୁକରେ ପକାଇଲେ।
11ତହୁଁ ଏପରି ହେଲା ଯେ, ଯେଉଁ ସମୟରେ ସିନ୍ଦୁକ ଲେବୀୟମାନଙ୍କ ହସ୍ତ ଦ୍ୱାରା ରାଜାଙ୍କ ନିରୂପିତ ସ୍ଥାନକୁ ଅଣାଗଲା ଓ ତହିଁରେ ବହୁତ ମୁଦ୍ରା ଅଛି ବୋଲି ସେମାନେ ଦେଖିଲେ, ସେତେବେଳେ ରାଜାଙ୍କର ଲେଖକ ଓ ପ୍ରଧାନ ଯାଜକର କର୍ମଚାରୀ ଆସି ସିନ୍ଦୁକ ଖାଲି କଲେ, ଆଉ ତାହା ନେଇ ପୁନର୍ବାର ସ୍ୱ ସ୍ଥାନରେ ରଖିଲେ। ଏହିରୂପେ ସେମାନେ ପ୍ରତିଦିନ କଲେ ଓ ପ୍ରଚୁର ମୁଦ୍ରା ସଂଗ୍ରହ କଲେ।
12ଆଉ, ରାଜା ଓ ଯିହୋୟାଦା ସଦାପ୍ରଭୁଙ୍କ ଗୃହର ସେବାକର୍ମକାରୀମାନଙ୍କୁ ତାହା ଦେଲେ; ତହିଁରେ ସେମାନେ ସଦାପ୍ରଭୁଙ୍କ ଗୃହର ମରାମତି ନିମନ୍ତେ ରାଜମିସ୍ତ୍ରୀ ଓ ସୂତ୍ରଧରମାନଙ୍କୁ, ମଧ୍ୟ ସଦାପ୍ରଭୁଙ୍କ ଗୃହ ଦୃଢ଼ କରିବା ନିମନ୍ତେ ଲୌହ ଓ ପିତ୍ତଳ କର୍ମକାରୀମାନଙ୍କୁ ବେତନ ଦେଇ ନିଯୁକ୍ତ କଲେ।
13ଏହିରୂପେ କର୍ମକାରୀମାନେ କାର୍ଯ୍ୟ କଲେ ଓ ସେମାନଙ୍କ ଦ୍ୱାରା କାର୍ଯ୍ୟ ସିଦ୍ଧ ହେଲା, ଆଉ ସେମାନେ ପରମେଶ୍ୱରଙ୍କ ଗୃହ ପୂର୍ବାବସ୍ଥାରେ ସ୍ଥାପନ କରି ତାହା ଦୃଢ଼ କଲେ।