1ଯୋୟାଶ୍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ସାତ ବର୍ଷ ବୟସ୍କ ହୋଇଥିଲେ; ଆଉ, ସେ ଯିରୂଶାଲମରେ ଚାଳିଶ ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କ ନାମ ସିବୀୟା, ଯେ ବେର୍ଶେବା ନିବାସିନୀ ଥିଲେ।
2ପୁଣି, ଯିହୋୟାଦା ଯାଜକର ଜୀବନଯାଏ ଯୋୟାଶ୍ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ।
3ଯିହୋୟାଦା ତାଙ୍କୁ ଦୁଇ କନ୍ୟା ବିବାହ କରାଇଲେ ଓ ତାଙ୍କର ପୁତ୍ରକନ୍ୟା ଜାତ ହେଲେ।
4ଏଥିଉତ୍ତାରେ ସଦାପ୍ରଭୁଙ୍କ ଗୃହର ମରାମତି କରିବାକୁ ଯୋୟାଶ୍ଙ୍କର ମନ ହେଲା।
5ତହିଁରେ ସେ ଯାଜକମାନଙ୍କୁ ଓ ଲେବୀୟମାନଙ୍କୁ ଏକତ୍ର କରି କହିଲେ, “ତୁମ୍ଭେମାନେ ଯିହୁଦାର ସମସ୍ତ ନଗରକୁ ଯାଅ ଓ ବର୍ଷକୁ ବର୍ଷ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହ ଦୃଢ଼ କରିବା ନିମନ୍ତେ ସମଗ୍ର ଇସ୍ରାଏଲ ନିକଟରୁ ମୁଦ୍ରା ସଂଗ୍ରହ କର, ଏବଂ ଏହି କାର୍ଯ୍ୟ ଶୀଘ୍ର କର।” ତଥାପି ଲେବୀୟମାନେ ତାହା ଶୀଘ୍ର କଲେ ନାହିଁ।