14ପୁଣି, ଉଷୀୟ ସେହି ସମସ୍ତ ସୈନ୍ୟଦଳ ନିମନ୍ତେ ଢାଲ, ବର୍ଚ୍ଛା, ଟୋପର, ସାଞ୍ଜୁଆ, ଧନୁ ଓ ଛାଟିଣୀ ପଥର ପ୍ରସ୍ତୁତ କଲେ।
15ଆଉ, ସେ ଯିରୂଶାଲମରେ ଶିଳ୍ପକାରମାନଙ୍କ କଳ୍ପିତ ଯନ୍ତ୍ର ପ୍ରସ୍ତୁତ କରି ତଦ୍ଦ୍ୱାରା ତୀର ଓ ବଡ଼ ବଡ଼ ପଥର ନିକ୍ଷେପ କରିବା ନିମନ୍ତେ ତାହାସବୁ ଦୁର୍ଗସବୁରେ ଓ ପ୍ରାଚୀର-ଚୂଡ଼ାରେ ରଖିଲେ ପୁଣି, ତାଙ୍କର ନାମ ବହୁ ଦୂର ବ୍ୟାପ୍ତ ହେଲା; କାରଣ ସେ ବଳିଷ୍ଠ ହେବା ପର୍ଯ୍ୟନ୍ତ ଆଶ୍ଚର୍ଯ୍ୟ ରୂପେ ସାହାଯ୍ୟ ପ୍ରାପ୍ତ ହେଲେ।
16ମାତ୍ର ସେ ବଳବାନ ହୁଅନ୍ତେ, ତାଙ୍କର ଅନ୍ତଃକରଣ ଉଦ୍ଧତ ହେଲା, ତହୁଁ ସେ ଦୁରାଚରଣ କରି ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କଲେ; କାରଣ ସେ ଧୂପବେଦିରେ ଧୂପ ଜ୍ୱଳାଇବା ନିମନ୍ତେ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ।
17ତହିଁରେ ଅସରୀୟ ଯାଜକ ଓ ତାହା ସଙ୍ଗେ ସଦାପ୍ରଭୁଙ୍କର ଅଶୀ ଜଣ ପରାକ୍ରାନ୍ତ ଯାଜକ ତାଙ୍କର ପଛେ ପଛେ ଗଲେ;
18ପୁଣି, ସେମାନେ ଉଷୀୟ ରାଜାଙ୍କୁ ନିବାରଣ କରି ତାଙ୍କୁ କହିଲେ, “ହେ ଉଷୀୟ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବା ପାଇଁ ଆପଣଙ୍କର ଅଧିକାର ନାହିଁ, ମାତ୍ର ହାରୋଣଙ୍କର ସନ୍ତାନ ଯେଉଁ ଯାଜକମାନେ ଧୂପ ଜ୍ୱଳାଇବା ପାଇଁ ପବିତ୍ରୀକୃତ ହୋଇଅଛନ୍ତି, ସେମାନଙ୍କର ଅଧିକାର ଅଟେ; ପବିତ୍ର ସ୍ଥାନରୁ ବାହାରି ଯାଉନ୍ତୁ; ଆପଣ ସତ୍ୟ-ଲଙ୍ଘନ କରିଅଛନ୍ତି; ଏହା ସଦାପ୍ରଭୁ ପରମେଶ୍ୱରଙ୍କଠାରୁ ଆପଣଙ୍କ ଗୌରବାର୍ଥେ ହେବ ନାହିଁ।”