9କାରଣ ତୁମ୍ଭେମାନେ ଯେବେ ପୁନର୍ବାର ସଦାପ୍ରଭୁଙ୍କ ପ୍ରତି ଫେରିବ, ତେବେ ତୁମ୍ଭମାନଙ୍କ ଭ୍ରାତୃଗଣ ଓ ସନ୍ତାନଗଣ ଯେଉଁମାନଙ୍କ ଦ୍ୱାରା ବନ୍ଦୀ ରୂପେ ନୀତ ହୋଇଅଛନ୍ତି, ସେମାନଙ୍କ ଦୃଷ୍ଟିରେ ଦୟାପ୍ରାପ୍ତ ହେବେ ଓ ପୁନର୍ବାର ଏହି ଦେଶକୁ ଆସିବେ; ଯେଣୁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର କୃପାମୟ ଓ ଦୟାଳୁ ଅଟନ୍ତି, ଯେବେ ତୁମ୍ଭେମାନେ ତାହାଙ୍କ ପ୍ରତି ଫେରିବ, ତେବେ ସେ ତୁମ୍ଭମାନଙ୍କଠାରୁ ଆପଣା ମୁଖ ଫେରାଇବେ ନାହିଁ।”
10ତହୁଁ ଦୂତମାନେ ଇଫ୍ରୟିମ ଓ ମନଃଶି ଦେଶ ଦେଇ ସବୂଲୂନ ପର୍ଯ୍ୟନ୍ତ ନଗରକୁ ନଗର ଗମନ କଲେ; ମାତ୍ର ଲୋକମାନେ ସେମାନଙ୍କୁ ଉପହାସ କରି ବିଦ୍ରୂପ କଲେ।
11ତଥାପି ଆଶେରର ଓ ମନଃଶିର ଓ ସବୂଲୂନର କେତେକ ଲୋକ ଆପଣାମାନଙ୍କୁ ନମ୍ର କରି ଯିରୂଶାଲମକୁ ଆସିଲେ।
12ମଧ୍ୟ ସଦାପ୍ରଭୁଙ୍କ ବାକ୍ୟାନୁସାରେ ରାଜାଙ୍କର ଓ ଅଧିପତିମାନଙ୍କର ଆଜ୍ଞା ପାଳନ କରିବା ପାଇଁ ଯିହୁଦାର ଲୋକମାନଙ୍କୁ ଏକଚିତ୍ତ ହେବାକୁ ପରମେଶ୍ୱରଙ୍କ ହସ୍ତ ସେମାନଙ୍କ ମଧ୍ୟରେ ବିଦ୍ୟମାନ ହେଲା।
13ତହୁଁ ଦ୍ୱିତୀୟ ମାସରେ ତାଡ଼ିଶୂନ୍ୟ ରୁଟିର ପର୍ବ ପାଳନ କରିବା ପାଇଁ ଅନେକ ଲୋକର ଅତି ମହାସମାଜ ଯିରୂଶାଲମରେ ଏକତ୍ରିତ ହେଲେ।