18ଅସଂଖ୍ୟ ଲୋକ, ଅର୍ଥାତ୍, ଇଫ୍ରୟିମ ଓ ମନଃଶି, ଇଷାଖର ଓ ସବୂଲୂନ ମଧ୍ୟରୁ ଅନେକେ ଆପଣାମାନଙ୍କୁ ଶୁଚି କରି ନ ଥିଲେ, ତଥାପି ସେମାନେ ଲେଖାର ବିପରୀତରେ ନିସ୍ତାର ପର୍ବର ବଳି ଭୋଜନ କଲେ। କାରଣ ହିଜକୀୟ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରି ଏହା କହିଥିଲେ,
19“ଯେକେହି ପରମେଶ୍ୱରଙ୍କର, ସଦାପ୍ରଭୁ ଆପଣା ପୈତୃକ ପରମେଶ୍ୱରଙ୍କର ଅନ୍ୱେଷଣ କରିବା ପାଇଁ ଅନ୍ତଃକରଣ ନିବିଷ୍ଟ କରେ, ସେ ଧର୍ମଧାମର ଶୌଚବିଧି ଅନୁସାରେ ଶୁଚି ନୋହିଲେ ହେଁ ମଙ୍ଗଳମୟ ସଦାପ୍ରଭୁ ତାହାକୁ କ୍ଷମା କରନ୍ତୁ।”
20ପୁଣି, ସଦାପ୍ରଭୁ ହିଜକୀୟଙ୍କର ବାକ୍ୟରେ କର୍ଣ୍ଣପାତ କଲେ ଓ ଲୋକମାନଙ୍କୁ ସୁସ୍ଥ କଲେ।
21ଏହିରୂପେ ଯିରୂଶାଲମରେ ଉପସ୍ଥିତ ଇସ୍ରାଏଲ-ସନ୍ତାନଗଣ ମହାନନ୍ଦରେ ସାତ ଦିନ ତାଡ଼ିଶୂନ୍ୟ ରୁଟିର ପର୍ବ ପାଳନ କଲେ; ପୁଣି ଲେବୀୟମାନେ ଓ ଯାଜକମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉଚ୍ଚ ବାଦ୍ୟ ଧ୍ୱନିରେ ଗାନ କରି ପ୍ରତିଦିନ ସଦାପ୍ରଭୁଙ୍କର ପ୍ରଶଂସା କଲେ।
22ଆଉ, ଯେଉଁ ସକଳ ଲେବୀୟ ଲୋକ ସଦାପ୍ରଭୁଙ୍କ ସେବାକାର୍ଯ୍ୟରେ ସୁଦକ୍ଷ ଥିଲେ, ସେମାନଙ୍କୁ ହିଜକୀୟ ଚିତ୍ତ ପ୍ରବୋଧକ କଥା କହିଲେ। ତହୁଁ ସେମାନେ ପର୍ବର ସାତ ଦିନସାରା ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ଭୋଜନ କଲେ ଓ ସଦାପ୍ରଭୁ ସେମାନଙ୍କ ପୈତୃକ ପରମେଶ୍ୱରଙ୍କ ନିକଟରେ ସ୍ୱୀକାର କଲେ।