20ପୁଣି, ସଦାପ୍ରଭୁ ହିଜକୀୟଙ୍କର ବାକ୍ୟରେ କର୍ଣ୍ଣପାତ କଲେ ଓ ଲୋକମାନଙ୍କୁ ସୁସ୍ଥ କଲେ।
21ଏହିରୂପେ ଯିରୂଶାଲମରେ ଉପସ୍ଥିତ ଇସ୍ରାଏଲ-ସନ୍ତାନଗଣ ମହାନନ୍ଦରେ ସାତ ଦିନ ତାଡ଼ିଶୂନ୍ୟ ରୁଟିର ପର୍ବ ପାଳନ କଲେ; ପୁଣି ଲେବୀୟମାନେ ଓ ଯାଜକମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉଚ୍ଚ ବାଦ୍ୟ ଧ୍ୱନିରେ ଗାନ କରି ପ୍ରତିଦିନ ସଦାପ୍ରଭୁଙ୍କର ପ୍ରଶଂସା କଲେ।
22ଆଉ, ଯେଉଁ ସକଳ ଲେବୀୟ ଲୋକ ସଦାପ୍ରଭୁଙ୍କ ସେବାକାର୍ଯ୍ୟରେ ସୁଦକ୍ଷ ଥିଲେ, ସେମାନଙ୍କୁ ହିଜକୀୟ ଚିତ୍ତ ପ୍ରବୋଧକ କଥା କହିଲେ। ତହୁଁ ସେମାନେ ପର୍ବର ସାତ ଦିନସାରା ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ଭୋଜନ କଲେ ଓ ସଦାପ୍ରଭୁ ସେମାନଙ୍କ ପୈତୃକ ପରମେଶ୍ୱରଙ୍କ ନିକଟରେ ସ୍ୱୀକାର କଲେ।
23ଏଉତ୍ତାରେ ଆଉ ସାତ ଦିନ ପାଳନ କରିବା ପାଇଁ ସମଗ୍ର ସମାଜ ପରାମର୍ଶ କଲେ; ପୁଣି, ସେମାନେ ସେହି ସାତ ଦିନ ଆନନ୍ଦରେ ପାଳନ କଲେ।
24ଏଣୁ ଯିହୁଦାର ରାଜା ହିଜକୀୟ ଉପହାର ନିମନ୍ତେ ସମାଜକୁ ଏକ ସହସ୍ର ବୃଷ ଓ ସାତ ସହସ୍ର ମେଷ ଦେଲେ; ଆଉ, ଅଧିପତିମାନେ ସମାଜକୁ ଏକ ସହସ୍ର ବୃଷ ଓ ଦଶ ସହସ୍ର ମେଷ ଦେଲେ; ପୁଣି ଯାଜକମାନଙ୍କ ମଧ୍ୟରୁ ଅନେକେ ଆପଣାମାନଙ୍କୁ ପବିତ୍ର କଲେ।