16ସେମାନଙ୍କ ବ୍ୟତୀତ ଯେଉଁମାନେ ପ୍ରତିଦିନର କର୍ତ୍ତବ୍ୟତାର ପ୍ରୟୋଜନାନୁସାରେ ପାଳିକ୍ରମେ ଆପଣା ଆପଣା ରକ୍ଷଣୀୟ ସେବା ନିମନ୍ତେ ସଦାପ୍ରଭୁଙ୍କ ଗୃହରେ ପ୍ରବେଶ କଲେ, ଏପରି ତିନି ବର୍ଷ ଓ ତତୋଧିକ ବୟସ୍କ ପୁରୁଷ ବଂଶାବଳୀ କ୍ରମେ ଗଣିତ ହୋଇଥିଲେ;
17ଆଉ, ଆପଣା ଆପଣା ପିତୃବଂଶାନୁସାରେ ଯାଜକମାନେ, ପୁଣି କୋଡ଼ିଏ ବର୍ଷ ଓ ତତୋଧିକ ବୟସ୍କ ଲେବୀୟମାନେ ବଂଶାବଳୀ କ୍ରମେ ସେମାନଙ୍କ ରକ୍ଷଣୀୟ ଓ ପାଳି ଅନୁସାରେ ଗଣିତ ହୋଇଥିଲେ;
18ପୁଣି ସମଗ୍ର ସମାଜ ମଧ୍ୟରେ ଲୋକମାନଙ୍କର ଶିଶୁ, ଭାର୍ଯ୍ୟା ଓ ପୁତ୍ରକନ୍ୟାମାନେ ବଂଶାବଳୀ କ୍ରମେ ଗଣିତ ହୋଇଥିଲେ; କାରଣ ସେମାନେ ଆପଣା ଆପଣା ନିରୂପିତ କାର୍ଯ୍ୟରେ ପବିତ୍ରତାରେ ଆପଣାମାନଙ୍କୁ ପବିତ୍ର କଲେ;
19ମଧ୍ୟ ହାରୋଣଙ୍କର ଯେଉଁ ସନ୍ତାନ-ଯାଜକମାନେ ଆପଣା ଆପଣା ନଗରସ୍ଥ ତଳିଭୂମିର କ୍ଷେତ୍ରରେ ବାସ କଲେ, ସେମାନଙ୍କ ପ୍ରତ୍ୟେକ ନଗରରେ ଯାଜକମାନଙ୍କ ମଧ୍ୟରେ ସମସ୍ତ ପୁରୁଷଙ୍କୁ ଓ ଲେବୀୟମାନଙ୍କ ମଧ୍ୟରେ ବଂଶାବଳୀ କ୍ରମେ ଗଣିତ ସମସ୍ତଙ୍କୁ ଅଂଶ ଦେବା ପାଇଁ ଲୋକେ ନାମରେ ନିର୍ଣ୍ଣୀତ ହେଲେ।
20ହିଜକୀୟ ଯିହୁଦାର ସର୍ବତ୍ର ଏପ୍ରକାର କଲେ; ପୁଣି ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଦୃଷ୍ଟିରେ ଉତ୍ତମ ଓ ଯଥାର୍ଥ ଓ ବିଶ୍ୱସ୍ତତାର କର୍ମ କଲେ।