1ଏହିସବୁ ସମାପ୍ତ ହେଲା ଉତ୍ତାରେ ଉପସ୍ଥିତ ସମଗ୍ର ଇସ୍ରାଏଲ ଯିହୁଦାର ନଗରମାନଙ୍କୁ ଯାଇ ସ୍ତମ୍ଭସବୁ ଭାଙ୍ଗି ପକାଇଲେ ଓ ଆଶେରା ମୂର୍ତ୍ତିମାନ କାଟି ପକାଇଲେ, ପୁଣି ନିଃଶେଷରେ ବିନାଶ ନ କରିବା ପର୍ଯ୍ୟନ୍ତ ସମସ୍ତ ଯିହୁଦା ଓ ବିନ୍ୟାମୀନ୍ ମଧ୍ୟରୁ, ଆହୁରି ଇଫ୍ରୟିମ ଓ ମନଃଶିରେ ସ୍ଥିତ ଉଚ୍ଚସ୍ଥଳୀ ଓ ଯଜ୍ଞବେଦିସବୁ ଭାଙ୍ଗି ପକାଇଲେ। ତହୁଁ ଇସ୍ରାଏଲ-ସନ୍ତାନଗଣର ପ୍ରତ୍ୟେକ ଲୋକ ଆପଣା ଆପଣା ଅଧିକାର ଓ ନଗରକୁ ଫେରିଗଲେ।
2ଆଉ, ହିଜକୀୟ ଯାଜକମାନଙ୍କର ଓ ଲେବୀୟମାନଙ୍କର ପାଳିକ୍ରମେ ପାଳି ନିରୂପଣ କଲେ, ହୋମାର୍ଥକ ଓ ମଙ୍ଗଳାର୍ଥକ ବଳିଦାନ, ପରିଚର୍ଯ୍ୟା ଓ ସଦାପ୍ରଭୁଙ୍କ ଛାଉଣିର ଦ୍ୱାରସମୂହରେ ଧନ୍ୟବାଦ ଓ ପ୍ରଶଂସା କରିବା ନିମନ୍ତେ ଯାଜକ ଓ ଲେବୀୟମାନଙ୍କର ପ୍ରତି ଜଣକୁ ତାହାର ସେବାନୁସାରେ ନିଯୁକ୍ତ କଲେ।
3ମଧ୍ୟ ସେ ସଦାପ୍ରଭୁଙ୍କ ବ୍ୟବସ୍ଥାର ଲିଖନାନୁସାରେ ହୋମବଳି ନିମନ୍ତେ, ଅର୍ଥାତ୍, ପ୍ରଭାତୀୟ ଓ ସାୟଂକାଳୀନ ହୋମବଳି ନିମନ୍ତେ, ପୁଣି ବିଶ୍ରାମବାର ଓ ଅମାବାସ୍ୟା ଓ ନିରୂପିତ ପର୍ବାଦିର ହୋମବଳି ନିମନ୍ତେ ରାଜସମ୍ପତ୍ତିରୁ ଦେୟ ଅଂଶ ନିରୂପଣ କଲେ।
4ଆହୁରି, ଯେପରି ଯାଜକଗଣ ଓ ଲେବୀୟଗଣ ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଆସକ୍ତ ରହିବେ, ଏଥିପାଇଁ ସେ ସେମାନଙ୍କୁ ସେମାନଙ୍କର ଅଂଶ ଦେବା ନିମନ୍ତେ ଯିରୂଶାଲମ ନିବାସୀ ଲୋକମାନଙ୍କୁ ଆଜ୍ଞା କଲେ।