20ପୁଣି, ରାଜା ହିଲ୍କୀୟକୁ ଓ ଶାଫନ୍ର ପୁତ୍ର ଅହୀକାମକୁ ଓ ମୀଖାର ପୁତ୍ର ଅବ୍ଦୋନ୍କୁ ଓ ଶାଫନ୍ ଲେଖକକୁ ଓ ରାଜାର ଦାସ ଅସାୟକୁ ଆଜ୍ଞା କରି କହିଲେ,
21“ତୁମ୍ଭେମାନେ ଯାଇ ମୋʼ ନିମନ୍ତେ, ପୁଣି ଇସ୍ରାଏଲ ଓ ଯିହୁଦା ମଧ୍ୟରେ ଅବଶିଷ୍ଟ ଲୋକଙ୍କ ନିମନ୍ତେ ଏହି ପ୍ରାପ୍ତ ପୁସ୍ତକର ବାକ୍ୟ ବିଷୟରେ ସଦାପ୍ରଭୁଙ୍କୁ ପଚାର; କାରଣ ଆମ୍ଭମାନଙ୍କ ପିତୃଲୋକମାନେ ଏହି ପୁସ୍ତକର ସକଳ ଲିଖନାନୁସାରେ କର୍ମ କରିବା ପାଇଁ ସଦାପ୍ରଭୁଙ୍କ ବାକ୍ୟ ପାଳନ ନ କରିବାରୁ ଆମ୍ଭମାନଙ୍କ ଉପରେ ସଦାପ୍ରଭୁଙ୍କର ମହାକୋପ ବର୍ଷିଅଛି।”
22ତହିଁରେ ହିଲ୍କୀୟ ଓ ରାଜାଜ୍ଞାପ୍ରାପ୍ତ ଲୋକମାନେ ହସ୍ରର ପୌତ୍ର ତୋଖତର ପୁତ୍ର ଶଲ୍ଲୁମ୍ ନାମକ ବସ୍ତ୍ରାଗାରରକ୍ଷକର ଭାର୍ଯ୍ୟା ହୁଲ୍ଦା ଭବିଷ୍ୟଦ୍ବକ୍ତ୍ରୀ ନିକଟକୁ ଗଲେ; ସେ ଯିରୂଶାଲମର ଦ୍ୱିତୀୟ ବିଭାଗରେ ବାସ କରୁଥିଲା, ପୁଣି ସେମାନେ ତାହାକୁ ସେହି ଭାବର କଥା କହିଲେ।
23ତହିଁରେ ସେ ସେମାନଙ୍କୁ ଉତ୍ତର କଲା, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଯେଉଁ ଲୋକ ତୁମ୍ଭମାନଙ୍କୁ ଆମ୍ଭ କତିକି ପଠାଇଲା, ତାହାକୁ କୁହ,
24‘ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ସ୍ଥାନ ଉପରେ ଓ ତନ୍ନିବାସୀମାନଙ୍କ ଉପରେ ଅମଙ୍ଗଳ, ଅର୍ଥାତ୍, ସେମାନେ ଯିହୁଦାର ରାଜା ସାକ୍ଷାତରେ ଯେଉଁ ପୁସ୍ତକ ପାଠ କରିଅଛନ୍ତି, ତହିଁରେ ଲିଖିତ ସକଳ ଅଭିଶାପ ଘଟାଇବା।