28ଦେଖ, ଆମ୍ଭେ ତୁମ୍ଭର ପିତୃଲୋକମାନଙ୍କ ନିକଟରେ ତୁମ୍ଭକୁ ସଂଗ୍ରହ କରିବା, ଆଉ ତୁମ୍ଭେ ଶାନ୍ତିରେ ଆପଣା କବରରେ ସଂଗୃହୀତ ହେବ, ପୁଣି ଆମ୍ଭେ ଏହି ସ୍ଥାନ ଉପରେ ଓ ତନ୍ନିବାସୀମାନଙ୍କ ଉପରେ ଯେଉଁ ଯେଉଁ ଅମଙ୍ଗଳ ଘଟାଇବା, ତାହାସବୁ ତୁମ୍ଭର ଚକ୍ଷୁ ଦେଖିବ ନାହିଁ।’” ଏଥିଉତ୍ତାରେ ସେମାନେ ପୁନର୍ବାର ରାଜା ନିକଟକୁ ସମାଚାର ଆଣିଲେ।
29ଏଥିଉତ୍ତାରେ ରାଜା ଲୋକ ପଠାଇ ଯିହୁଦାର ଓ ଯିରୂଶାଲମର ସମସ୍ତ ପ୍ରାଚୀନବର୍ଗଙ୍କୁ ଏକତ୍ର କଲେ।
30ପୁଣି, ରାଜା ସଦାପ୍ରଭୁଙ୍କ ଗୃହକୁ ଗମନ କଲେ, ଆଉ ଯିହୁଦାର ସମସ୍ତ ଲୋକ ଓ ଯିରୂଶାଲମ ନିବାସୀମାନେ ଓ ଯାଜକମାନେ ଓ ଲେବୀୟମାନେ ଓ ବଡ଼ ସାନ ସମସ୍ତ ଲୋକ ଗମନ କଲେ; ତହୁଁ ସେ ସଦାପ୍ରଭୁଙ୍କ ଗୃହରେ ପ୍ରାପ୍ତ ନିୟମ-ପୁସ୍ତକର ସମସ୍ତ ବାକ୍ୟ ସେମାନଙ୍କ କର୍ଣ୍ଣଗୋଚରରେ ପାଠ କଲେ।
31ପୁଣି, ରାଜା ଆପଣା ସ୍ଥାନରେ ଠିଆ ହୋଇ ସଦାପ୍ରଭୁଙ୍କର ଅନୁଗାମୀ ହେବାକୁ ଓ ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ତାହାଙ୍କର ଆଜ୍ଞା ଓ ସାକ୍ଷ୍ୟ କଥା ଓ ବିଧି ପାଳନ କରି ଏହି ପୁସ୍ତକ-ଲିଖିତ ନିୟମ-ବାକ୍ୟ ସଫଳ କରିବାକୁ ସଦାପ୍ରଭୁଙ୍କ ସାକ୍ଷାତରେ ନିୟମ କଲେ।
32ଆଉ, ଯିରୂଶାଲମର ଓ ବିନ୍ୟାମୀନ୍ର ଯେତେ ଲୋକ ବିଦ୍ୟମାନ ଥିଲେ, ସେ ସମସ୍ତଙ୍କୁ ସେହି ନିୟମରେ ସେ ସମ୍ମତ କରାଇଲେ। ତହିଁରେ ଯିରୂଶାଲମ ନିବାସୀମାନେ ପରମେଶ୍ୱରଙ୍କର, ଆପଣାମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱରଙ୍କ ନିୟମାନୁସାରେ କର୍ମ କଲେ।