4ପୁଣି, ଲୋକମାନେ ତାଙ୍କ ସାକ୍ଷାତରେ ବାଲ୍ ଦେବଗଣର ଯଜ୍ଞବେଦିସବୁ ଭାଙ୍ଗି ପକାଇଲେ, ଆଉ ସେ ତହିଁ ଉପରେ ସ୍ଥାପିତ ସୂର୍ଯ୍ୟ-ପ୍ରତିମାସବୁ କାଟି ପକାଇଲେ ଓ ଆଶେରା ମୂର୍ତ୍ତି, ଖୋଦିତ ପ୍ରତିମା ଓ ଛାଞ୍ଚରେ ଢଳା ପ୍ରତିମାସବୁ ଭାଙ୍ଗି ଚୂର୍ଣ୍ଣ କରି ସେସବୁର ଉଦ୍ଦେଶ୍ୟରେ ବଳିଦାନକାରୀ ଲୋକମାନଙ୍କ କବର ଉପରେ ତାହା ବିଞ୍ଚିଲେ।
5ଆଉ, ସେମାନଙ୍କ ଯଜ୍ଞବେଦି ଉପରେ ଯାଜକମାନଙ୍କ ଅସ୍ଥି ଦଗ୍ଧ କରି ଯିହୁଦା ଓ ଯିରୂଶାଲମକୁ ଶୁଚି କଲେ।
6ସେ ମନଃଶି ଓ ଇଫ୍ରୟିମ ଓ ଶିମୀୟୋନର ନଗରସମୂହରେ ନପ୍ତାଲି ପର୍ଯ୍ୟନ୍ତ କାନ୍ଥଡ଼ାର ଚତୁର୍ଦ୍ଦିଗରେ ଏହି ପ୍ରକାର କଲେ।
7ଆଉ, ସେ ଯଜ୍ଞବେଦିସବୁ ଭାଙ୍ଗି ପକାଇଲେ ଓ ଆଶେରା ମୂର୍ତ୍ତି ଓ ଖୋଦିତ ପ୍ରତିମାସବୁ ଚୂର୍ଣ୍ଣ କଲେ ଓ ଇସ୍ରାଏଲ ଦେଶର ସର୍ବତ୍ର ସୂର୍ଯ୍ୟ-ପ୍ରତିମାସବୁ କାଟି ପକାଇ ଯିରୂଶାଲମକୁ ଫେରି ଆସିଲେ।
8ଏଥିଉତ୍ତାରେ ସେ ଆପଣା ରାଜତ୍ଵର ଅଠର ବର୍ଷରେ ଦେଶ ଓ ଗୃହ ଶୁଚି କଲା ଉତ୍ତାରେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଗୃହର ମରାମତି ନିମନ୍ତେ ଅତ୍ସଲୀୟର ପୁତ୍ର ଶାଫନ୍କୁ ଓ ନଗରାଧ୍ୟକ୍ଷ ମାସେୟକୁ ଓ ଯୋୟାହସର ପୁତ୍ର ଯୋୟାହ ଇତିହାସ ଲେଖକକୁ ପଠାଇଲେ।