5ଆଉ, ସେମାନଙ୍କ ଯଜ୍ଞବେଦି ଉପରେ ଯାଜକମାନଙ୍କ ଅସ୍ଥି ଦଗ୍ଧ କରି ଯିହୁଦା ଓ ଯିରୂଶାଲମକୁ ଶୁଚି କଲେ।
6ସେ ମନଃଶି ଓ ଇଫ୍ରୟିମ ଓ ଶିମୀୟୋନର ନଗରସମୂହରେ ନପ୍ତାଲି ପର୍ଯ୍ୟନ୍ତ କାନ୍ଥଡ଼ାର ଚତୁର୍ଦ୍ଦିଗରେ ଏହି ପ୍ରକାର କଲେ।
7ଆଉ, ସେ ଯଜ୍ଞବେଦିସବୁ ଭାଙ୍ଗି ପକାଇଲେ ଓ ଆଶେରା ମୂର୍ତ୍ତି ଓ ଖୋଦିତ ପ୍ରତିମାସବୁ ଚୂର୍ଣ୍ଣ କଲେ ଓ ଇସ୍ରାଏଲ ଦେଶର ସର୍ବତ୍ର ସୂର୍ଯ୍ୟ-ପ୍ରତିମାସବୁ କାଟି ପକାଇ ଯିରୂଶାଲମକୁ ଫେରି ଆସିଲେ।
8ଏଥିଉତ୍ତାରେ ସେ ଆପଣା ରାଜତ୍ଵର ଅଠର ବର୍ଷରେ ଦେଶ ଓ ଗୃହ ଶୁଚି କଲା ଉତ୍ତାରେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଗୃହର ମରାମତି ନିମନ୍ତେ ଅତ୍ସଲୀୟର ପୁତ୍ର ଶାଫନ୍କୁ ଓ ନଗରାଧ୍ୟକ୍ଷ ମାସେୟକୁ ଓ ଯୋୟାହସର ପୁତ୍ର ଯୋୟାହ ଇତିହାସ ଲେଖକକୁ ପଠାଇଲେ।
9ତହୁଁ ସେମାନେ ହିଲ୍କୀୟ ମହାଯାଜକ ନିକଟକୁ ଆସି ଲେବୀୟ ଦ୍ୱାରପାଳମାନଙ୍କ ଦ୍ୱାରା ମନଃଶି ଓ ଇଫ୍ରୟିମ ଓ ସମଗ୍ର ଇସ୍ରାଏଲର ଅବଶିଷ୍ଟାଂଶ, ପୁଣି ସମଗ୍ର ଯିହୁଦା ଓ ବିନ୍ୟାମୀନ୍ ଓ ଯିରୂଶାଲମ ନିବାସୀମାନଙ୍କ ହସ୍ତରୁ ସଂଗୃହୀତ ପରମେଶ୍ୱରଙ୍କ ଗୃହକୁ ଆନୀତ ସକଳ ମୁଦ୍ରା ତାହା ନିକଟରେ ସମର୍ପଣ କଲେ।