19ପୁଣି, ସେମାନେ ପରମେଶ୍ୱରଙ୍କ ଗୃହ ଦଗ୍ଧ କଲେ ଓ ଯିରୂଶାଲମର ପ୍ରାଚୀର ଭଗ୍ନ କଲେ ଓ ତହିଁର ଅଟ୍ଟାଳିକାସବୁ ଅଗ୍ନିରେ ଦଗ୍ଧ କରି ସେଠାରେ ଥିବା ମନୋହର ପାତ୍ରସବୁ ବିନାଶ କଲେ।
20ପୁଣି, ସେ ଖଡ୍ଗରୁ ବଞ୍ଚିବା ଲୋକମାନଙ୍କୁ ବାବିଲକୁ ନେଇଗଲା; ତହିଁରେ ପାରସିକ ରାଜ୍ୟ ସ୍ଥାପନ ପର୍ଯ୍ୟନ୍ତ ସେମାନେ ତାହାର ଓ ତାହାର ସନ୍ତାନଗଣର ଦାସ ହୋଇ ରହିଲେ;
21ଦେଶ ଆପଣାର ନାନା ବିଶ୍ରାମ ଭୋଗ କରିବା ପର୍ଯ୍ୟନ୍ତ ଯିରିମୀୟର ମୁଖ ଦ୍ୱାରା ଉକ୍ତ ସଦାପ୍ରଭୁଙ୍କ ବାକ୍ୟ ସଫଳ ହେବା ନିମନ୍ତେ ଏହା ଘଟିଲା; କାରଣ ସତୁରି ବର୍ଷ ପୂର୍ଣ୍ଣକରଣାର୍ଥେ ଦେଶ ଉଚ୍ଛିନ୍ନ ଅବସ୍ଥାରେ ଥିବା ପର୍ଯ୍ୟନ୍ତ ବିଶ୍ରାମ ପାଳନ କଲା।
22ଯିରିମୀୟଙ୍କ ମୁଖ ଦ୍ୱାରା ଉକ୍ତ ସଦାପ୍ରଭୁଙ୍କ ବାକ୍ୟ ସଫଳାର୍ଥେ ପାରସ୍ୟର ରାଜା କୋରସ୍ଙ୍କ ରାଜତ୍ଵର ପ୍ରଥମ ବର୍ଷରେ ସଦାପ୍ରଭୁ ପାରସ୍ୟର ରାଜା କୋରସ୍ର ମନରେ ପ୍ରବୃତ୍ତି ଜନ୍ମାନ୍ତେ, ସେ ଆପଣା ରାଜ୍ୟର ସର୍ବତ୍ର ଘୋଷଣା କରାଇ, ମଧ୍ୟ ଲେଖାଇ ଏହି କଥା ପ୍ରଚାର କରାଇଲା,
23“ପାରସ୍ୟର ରାଜା କୋରସ୍ ଏହା କହନ୍ତି, ‘ସଦାପ୍ରଭୁ ସ୍ୱର୍ଗର ପରମେଶ୍ୱର ପୃଥିବୀର ସମସ୍ତ ରାଜ୍ୟ ଆମ୍ଭକୁ ପ୍ରଦାନ କରିଅଛନ୍ତି; ଆଉ, ସେ ଯିହୁଦା ଦେଶସ୍ଥ ଯିରୂଶାଲମରେ ତାହାଙ୍କ ପାଇଁ ଏକ ଗୃହ ନିର୍ମାଣ କରିବାକୁ, ଆମ୍ଭକୁ ଆଜ୍ଞା କରିଅଛନ୍ତି। ତାହାଙ୍କର ସମଗ୍ର ଲୋକଙ୍କ ମଧ୍ୟରେ ତୁମ୍ଭମାନଙ୍କର ଯେକେହି ହେଉ, ସଦାପ୍ରଭୁ ତାହାର ପରମେଶ୍ୱର ତାହାର ସହବର୍ତ୍ତୀ ହେଉନ୍ତୁ ଓ ସେ ଯାତ୍ରା କରୁ।’”